ଚୀନ୍‌ ପରେ ଇଟାଲୀରେ କରୋନା ନେଉଛି ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୩୧, ଦେଶରେ ଲକ୍‌ଡାଉନ୍‌ ସମେତ ଫିଲ୍ମ, ପବ୍‌ ସହ ଶବଯାତ୍ରା ଉପରେ ଲାଗିଲା କଟକଣା

ଚୀନ୍‌ରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଲାଣି। କରୋନା ଯୋଗୁ ଇଟାଲୀରେ ଏବେ ପରିସ୍ଥିତି ଉଦ୍‌ବେଗଜନକ ରହିଛି। ବର୍ତ୍ତମାନ ଇଟାଲୀରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧୦ ହଜାରରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ି ୬୩୧ରେ ପହଞ୍ଚିଛି।

corona v

ରିପୋର୍ଟ ମୁତାବକ ଏବେ ବି ୮୭୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମାତ୍ର ସରକାରଙ୍କ ଘୋଷଣାନୁସାରେ ୧୦୦୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ବର୍ତ୍ତମାନର ସାଂଘାତିକ ସ୍ଥିତିକୁ ଦୃଷ୍ଟିରେ ରଖି ଇଟାଲୀରେ ସେନା ସାହାଯ୍ୟରେ ଲକଡାଉନ୍‌ କରିଦିଆଯାଇଛି।

italy

ସାରା ଦେଶରେ ଲୋକଙ୍କୁ ଏକାଠି ହେବାକୁ, ସମାରୋହ, ସିନେମା, ଥିଏଟର, ଜିମ୍‌ ଓ ପବ୍‌ ଆଦି ସ୍ଥାନକୁ ବନ୍ଦ କରି ଦିଆଯାଇଛି। ଏହା ବ୍ୟତୀତ ସ୍କୁଲ, ବିଶ୍ୱବିଦ୍ୟାଳୟକୁ ମଧ୍ୟ ଏପ୍ରିଲ ୩ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏମିତିକି ଅନ୍ତିମ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଇଟାଲୀରୁ ବାହାରକୁ ଯାଉଥିବା ଲୋକ ଓ ଦେଶ ଭିତରେ ଲୋକାଲ ଫ୍ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

italy2

ସରକାରଙ୍କ କହିବାନୁସାରେ ଏପ୍ରିଲ ୮ ତାରିଖରୁ ପୁଣିଥରେ ବିମାନ ସେବା ଆରମ୍ଭ କରାଯିବ। ଡୋମେଷ୍ଟିକ୍‌ ଫ୍ଲାଇଟ୍‌କୁ ବନ୍ଦ କରିବା ନିଷ୍ପତ୍ତି ଗତ କାଲି ରାତିରେ ହିଁ ନିଆଯାଇଛି। ଅନ୍ୟପଟେ ମାର୍ଚ୍ଚ ୧୩ ପରେ କୌଣସି ଅନ୍ତର୍ଜାତୀୟ ଫ୍ଲାଇଟ୍‌ ଚାଲିବ ନାହିଁ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଇଟାଲୀରେ ମଙ୍ଗଳବାର କରୋନା ଭାଇରସ୍‌ରେ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.