ଧାରା ୩୭୦ ଉଚ୍ଛେଦ ପରେ କଣ ବଦଳିଲା ଜମ୍ମୁ କଶ୍ମୀରର ବ୍ୟବସ୍ଥା, ଜାଣନ୍ତୁ ପୂରା ତଥ୍ୟ

ଗୋଟିଏ ରାଷ୍ଟ୍ର, ଗୋଟିଏ ଆଇନ ଓ ଗୋଟିଏ ଲକ୍ଷ୍ୟ। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ସହ ଜମ୍ମୁ କଶ୍ମୀରରେ ପ୍ରଚଳିତ ଥିବା ଅନେକ ବ୍ୟବସ୍ଥା ବଦଳି ଯାଇଛି। ଏବେ ଆସନ୍ତୁ ନଜର ପକାଇବା ପୂର୍ବରୁ କ’ଣ ଥିଲା ଓ ଏବେ କ’ଣ ହେଲା।

ନିଜସ୍ୱ ସମ୍ବିଧାନ

ଆର୍ଟିକିଲ୍‌ ୩୭୦ ଉଚ୍ଛେଦ ସହ ଜମ୍ମୁ କଶ୍ମୀରରେ କବର ନେଇଛି ନିଜସ୍ୱ ସମ୍ବିଧାନ। ଦେଶରେ ଏକମାତ୍ର ରାଜ୍ୟ ଭାବେ ଜମ୍ମୁ କଶ୍ମୀରରେ ପ୍ରଚଳିତ ଥିଲା ନିଜସ୍ୱ ସମ୍ବିଧାନ। ଏବେ ଇତିହାସ ପୃଷ୍ଠାରେ ଏହା ଲିପିବଦ୍ଧ। ସେଠାରେ ଦେଶରେ ପ୍ରଚଳିତ ସମସ୍ତ ଆଇନ କାନୁନ ଲାଗୁ ହେବ।

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ସମ୍ବିଧାନ ଧାରା ୩୭୦ ଅନୁସାରେ ଜମ୍ମୁ କଶ୍ମୀରକୁ ମିଳୁଥିଲା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା। ଏବେ କେନ୍ଦ୍ର ଶାସିତ ଅଞ୍ଚଳ ହେବ । କେବଳ ରାଷ୍ଟ୍ରପତି ଶାସନ ପ୍ରାବଧାନ ଲାଗୁ ହେବ।

ନିଜସ୍ୱ ପତାକା

ଜମ୍ମୁ କଶ୍ମୀରର ନିଜର ସ୍ୱତନ୍ତ୍ର ପତାକା ଥିଲା। ଭାରତର ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟତାମୂଳକ ନଥିଲା। ଏବେ ସାରା ଦେଶରେ ଗୋଟିଏ ଜାତୀୟ ପତାକା ପ୍ରଚଳନ। ରାଷ୍ଟ୍ରୀୟ ପ୍ରତୀକ ଓ ତ୍ରିରଙ୍ଗାର ଅପମାନ ଅପରାଧ ଶ୍ରେଣୀଭୁକ୍ତ ହେବ।

୬ବର୍ଷ ସରକାର

ପୂର୍ବରୁ ଜମ୍ମୁ କଶ୍ମୀର ସରକାରଙ୍କ କାର୍ଯ୍ୟକାଳ ପୂର୍ବରୁ ଥିଲା ୬ବର୍ଷ। ବର୍ତ୍ତମାନ ଅନ୍ୟ ରାଜ୍ୟ ଭଳି ଏଠାରେ ମଧ୍ୟ ନିର୍ବାଚିତ ସରକାରଙ୍କ କାର୍ଯ୍ୟକାଳ ୫ବର୍ଷ  ରହିବ। ବିଧାନସଭାର ୬ବର୍ଷ କାର୍ଯ୍ୟକାଳ ଧାରା ୩୭୦ର ପରିସମାପ୍ତି ସହ ଅନ୍ତ ହୋଇଛି।

ଦ୍ୱୈତ ନାଗରିକତା

ଜମ୍ମୁ କଶ୍ମୀର ବାସିନ୍ଦାଙ୍କ ପାଖରେ ଥିଲା ଉଭୟ ଭାରତ ଓ ନିଜ ରାଜ୍ୟର ନାଗରିକତା ଅଧିକାର। ଏବେ କେବଳ ଦେଶର ନାଗରିକତା ରହିବ। ୩୭୦ ଉଚ୍ଛେଦ ସହ ଆପେ ଆପେ ଶେଷ ହୋଇଗଲା ପ୍ରଚଳିତ ଦ୍ୱୈତ ନାଗରିକତା ବ୍ୟବସ୍ଥା।

ଅନ୍ୟ ରାଜ୍ୟରେ ବିବାହ

ପୂର୍ବରୁ ଅନ୍ୟ ରାଜ୍ୟରେ ବିବାହ କଲେ ଜମ୍ମୁ କଶ୍ମୀର ନାଗରିକତା ହରାଉଥିଲେ କଶ୍ମୀର ଝିଅ। ବର୍ତ୍ତମାନ ଏହି ବ୍ୟବସ୍ଥା ଉଠିଗଲା। ସେହିପରି କଶ୍ମୀର ଝିଅ ପାକିସ୍ତାନ ପୁଅକୁ ବିବାହ କଲେ ତାଙ୍କ ସ୍ୱାମୀକୁ ମିଳୁଥିଲା ଜମ୍ମୁ କଶ୍ମୀର ନାଗରିକତା। ଏବେ ନାଗରିକତା ନେବାକୁ ହେଲେ ପାକିସ୍ତାନ ଯୁବକଙ୍କୁ ଦେଶରେ ପ୍ରଚଳିତ ବିଧି ବ୍ୟବସ୍ଥାକୁ ମାନିବାକୁ ହେବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ବାଧ୍ୟ

ଜମ୍ମୁ କଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବା ଅନିବାର୍ଯ୍ୟ ନଥିଲା। ଏବେ ଜମ୍ମୁ କାଶ୍ମୀର ଓ ଲଦାଖ ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ।

ରାଇଟ୍‌ ଟୁ ବାଏ ପ୍ରୋପର୍ଟିଂ

ଆର୍ଟିକିଲ୍‌ ୩୫A ଅନୁସାରେ ଜମ୍ମୁ କଶ୍ମୀରରେ କେହି ଭାରତୀୟ ଜାଗା କିଣି ପାରୁ ନଥିଲେ। ସ୍ଥାୟୀ ଭାବରେ ରହି ପାରୁ ନଥିଲେ। ଏବେ ଯେକେହି ଚାହିଁଲେ ଜାଗା କିଣିପାରିବେ ଜମ୍ମୁ କଶ୍ମୀରରେ। ସ୍ଥାୟୀ ବାସିନ୍ଦା ହୋଇପାରିବେ।

 ସଂରକ୍ଷଣ, ଆରଟିଇ ଓ ସିଏଜି ଲାଗୁ

କଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ମିଳୁ ନଥିଲା। ଏବେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା। ସେହିପରି ୩୭୦ ଉଚ୍ଛେଦ ସହ ଲାଗୁ ହୋଇଛି ରାଇଟ ଟୁ ଏଜୁକେସନ୍‌। ସିଏଜି ବି ଲାଗୁ ହେଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.