ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ, ପତ୍ନୀ ଏବଂ ୨ ଛୁଆଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କଲେ ସୁରକ୍ଷାକର୍ମୀ

ନୋଏଡାର ଏକ ଘରୋଇ କମ୍ପାନୀରେ ନିୟୋଜିତ ହୋଇଥିବା ଜଣେ ସିକ୍ୟୁରିଟି ଗାର୍ଡ ନିଜ ପତ୍ନୀ,ତିନି ଛୁଆଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଥିବା ଖବର ସାମ୍ନାକୁ ଆସିଛି । ଦୁଇ ଛୁଆ ଏବଂ ପତ୍ନୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଗମ୍ଭୀର ଭାବେ ଆହତ ହୋଇଥିବା ଆଉ ଏକ ଛୁଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛି । ଏସପିଙ୍କ ସୂଚନା ମୁତାବକ ସିକ୍ୟୁରିଟି ଗାର୍ଡ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ହେବାପରେ ନିଶାସକ୍ତ ଅବସ୍ଥାରେ ଆସି ସିକ୍ୟୁରିଟି ଗାର୍ଡ ଜଣଙ୍କ ଏପରି କାଣ୍ଡ ଭିଆଇଥିଲା ।

ରମପୁରା ନିବାସୀ ବିଶ୍ରାମ ସିଂ (୪୫) ନୋଏଡାରେ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲେ । ସେ କିଛି ଦିନ ଛୁଟି ନେଇ ଘରକୁ ଆସିଥିଲେ । ଗୁରୁବାର ଦିନ ଦ୍ବିପ୍ରହରରେ ବିଶ୍ରାମ ସିଂ ପତ୍ନୀ ରେଖା ଦେବୀ (୪୦)ଙ୍କୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଭରଥନା ନେଇଥିଲେ । ସେଠାରୁ ଫେରିବା ପରେ ହଠାତ୍ ଘର ଭିତରୁ ଗୁଳି ଆବାଜ୍ ଶୁଣିବାକୁ ମିଳିଥିଲା । ଗୁଳି ଶବ୍ଦ ଶୁଣି ଆଖପାଖରୁ ଲୋକ ଦୌଡି ଆସି ଦେଖିବା ବେଳକୁ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଚଟାଣ ଉପରେ ପୁଅ ବଂଶ (୩), ଅଗଣାରେ ପତ୍ନୀ ରେଖା, ବାହାର ପାଖରେ ଝିଅ ପ୍ରାଂଶୀ (୯) ଏବଂ ବିଶ୍ରାମ ସିଂଙ୍କ ଶବ ପଡିଥିଲା । ଘଟଣାସ୍ଥଳ ରକ୍ତରଞ୍ଜିତ ହୋଇପଡିଥିଲା । ତେବେ ଘର ଭିତର ପାଖରେ ତାଙ୍କର ଆଉ ଏକ ଝିଅ ଅଂଶୀ (୭)ଗୁରୁତର ଅବସ୍ଥାରେ ଲହୁଲୁହାଣ ହୋଇ ଛଟପଟ ହେଉଥିଲା ।

ଖବର ପାଇ ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଁଚି ଗୁରୁତର ଆହତ ହୋଇଥିବା ଅଂଶୀକୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ପଠାଇଥିଲେ । କିଛି ସମୟ ଭିତରେ ଏସପି ହରିଶ ଚନ୍ଦର ଅନ୍ୟ ଅଧିକାରୀମାନଙ୍କ ସହିତ ପହଁଚି ଆଖପାଖ ଲୋକଙ୍କୁ ପଚରା ଉଚରା କରିଥିଲେ । ତେବେ ଘରୋଇ କଳହ ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡିଥିବା ବେଳେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.