ପୁଣି ଟାଟା ଗ୍ରୁପ ହାତକୁ ଗଲା ଏୟାର ଇଣ୍ଡିଆ, ଆଜି ହେଲା ବିଧିବଦ୍ଧ ହସ୍ତାନ୍ତର

ନୂଆଦିଲ୍ଲୀ : ଟାଟା ଗ୍ରୁପ ହାତକୁ ଗଲା ଏୟାର ଇଣ୍ଡିଆ । ଆଜି ବିଧିବଦ୍ଧ ଭାବରେ ହସ୍ତାନ୍ତର ହୋଇଛି ଏୟାର ଇଣ୍ଡିଆ। ଏଥିପାଇଁ ସବୁ ଔପଚାରିକତା ସରିଛି । ୬୯ ବର୍ଷ ପରେ ଟାଟା ହାତକୁ ଫେରିଲା ‘ମହାରାଜା’ । ଏୟାର ଏସିଆ ଓ ଭିସ୍ତାରା ମଧ୍ୟ ଚଳାଉଛି ଟାଟା ଗ୍ରୁପ । ଟାଟାର ଏୟାର ଏସିଆରେ ୮୪% ଓ ଭିସ୍ତାରାରେ ୫୧% ସେୟାର ରହିଛି । ଜେଆର୍ଡି ଟାଟା ଥିଲେ ଅତ୍ୟନ୍ତ ଖୁସି ହୋଇଥାନ୍ତେ ବୋଲି ରତନ ଟାଟା କହିଛନ୍ତି ।

tata and pm
P.C : aajtak.in

ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରାଯାଇଛି । ସବୁ ସେୟାର ଏୟାର ଇଣ୍ଡିଆର ନୂଆ ମାଲିକ ଟେଲେସ୍ ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କରାଯାଇଛି । ଗତବର୍ଷ ଅକ୍ଟୋବର ମାସରେ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟାର ସହାୟକ କମ୍ପାନୀ ଟେଲେସ୍ ପ୍ରାଇଭେଟ୍ ଲିମିଟେଡ୍କୁ ବିକ୍ରି କରିଥିଲେ ଭାରତ ସରକାର । ଏଣିକି ଟାଟା ଗ୍ରୁପ ପକ୍ଷରୁ ଉଡାଣରେ କିଛି ପରିବର୍ତ୍ତନ ହୋଇପାରେ ।

ବର୍ତ୍ତମାନ ଏୟାର ଇଣ୍ଡିଆ ୪ ହଜାର ୪୦୦ ଡୋମେଷ୍ଟିକ୍ ଓ ୧ ହଜାର ୮୦୦ ଅନ୍ତର୍ଜାତୀୟ ଲ୍ୟାଣ୍ଡିଂ ଓ ପାର୍କିଂ ସ୍ଲଟ୍ ନିୟନ୍ତ୍ରଣ କରୁଛି । ଏୟାର ଲାଇନ୍ସର ୧୪୧ଟି ଏୟାରକ୍ରାଫ୍ଟ ପାଇବ ଟାଟା । ଏଥିରୁ ୯୯ ଏୟାରକ୍ରାଫ୍ଟର ମାଲିକାନା ଓ ୪୨ଟି ଏୟାରକ୍ରାଫ୍ଟ ଲିଜ୍ରେ ପାଇବ। ୧୯୩୨ରେ ଟାଟା ଏୟାର ଲାଇନ୍ସ ପ୍ରତିଷ୍ଠା କରିଥିଲା ଟାଟା ।

୧୯୪୬ରେ ଏୟାର ଇଣ୍ଡିଆ ନାଁରେ ଏହା ନାମିତ ହୋଇଥିଲା । ୧୯୫୩ରେ ସରକାର ଏହାକୁ ନିୟନ୍ତ୍ରଣକୁ ନେଇଥିଲେ । ୬୯ ବର୍ଷ ପରେ ଟାଟା ଗ୍ରୁପ ମାଲିକାନାକୁ ଫେରିଛି ଏୟାର ଇଣ୍ଡିଆ । ଆଜି ବିଧିବଦ୍ଧ ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ୍ । ଆଜି ଏୟାର ଇଣ୍ଡିଆର ବର୍ତ୍ତମାନ ବୋର୍ଡ ଇସ୍ତଫା ଦେଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.