ଯବାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜାମ୍ମୁ କଶ୍ମୀର ଗମନାଗମନ ପାଇଁ ମିଳିବ ବିମାନ ସେବା

ଶ୍ରୀନଗର : ଜାମ୍ମୁ କଶ୍ମୀରରେ ନିୟୋଜିତ ଯବାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ଜାମ୍ମୁ କଶ୍ମୀର ଗମନାଗମନ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳର ସମସ୍ତ ଯବାନଙ୍କୁ ବିମାନ ସେବା ଯୋଗାଇ ଦିଆଯିବ। କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ନିଷ୍ପତ୍ତି ଆଜିଠାରୁ ଲାଗୁ ହୋଇଛି। ବୁଧବାର ଅପରାହ୍ମରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏନେଇ ଆଲୋଚନା କରିଥିଲା। ଫେବ୍ରୁଆରି ୧୪ରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ଯବାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଜମ୍ମୁ କଶ୍ମୀରରେ ନିୟୋଜିତ ଆସାମ ରାଇଫଲ୍‌ସ, ବିଏସ୍‌ଏଫ, ସିଆରପିଏଫ, ଆଇଟିବିପି, ଏସଏସବି ଏବଂ ଏନସଏସଜି ସମେତ ସମସ୍ତ ଅର୍ଦ୍ଧସାମରିକ ଯବାନ ବିମାନରେ ଯିବା ଆସିବା କରିବେ। କର୍ମସ୍ଥଳୀକୁ ଛୁଟିରେ ଯିବା ଆସିବା କିମ୍ବା ବଦଳି ହୋଇ ଆସୁଥିବା ଯବାନଙ୍କୁ ଜାମ୍ମୁ ବେସ କ୍ୟାମ୍ପ ନଚେତ ଦିଲ୍ଲୀରୁ ଶ୍ରୀନଗର ବିମାନବନ୍ଦର ଦେଇ ଆସିପାରିବେ। ଶ୍ରୀନଗର ଯାଉଥିବା ଯବାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ପୂର୍ବରୁ ଏହି ସୁବିଧା କେବଳ ବରିଷ୍ଠ ର‍୍ୟାଙ୍କର ଅଧିକାରୀଙ୍କ ପାଇଁ ଉପଲବ୍‌ଧ ରହିଥିଲା। ଫଳରେ ୭ଲକ୍ଷ ୮୦ହଜାରରୁ ଅଧିକ ଯବାନ ଏହାଦ୍ୱାରା ଉପକୃତ ହେବେ ।