ପ୍ରାର୍ଥୀ ଚୟନ ଅଙ୍କକଷାରେ ବିଜେଡି, କେନ୍ଦ୍ରାପଡ଼ାକୁ ନେଇ ଜାରି ରହିଛି ସସ୍ପେନ୍ସ

ଭୁବନେଶ୍ବର : ପାଖେଇ ଆସୁଛି ୧୯’ ନିର୍ବାଚନ । ସରଗରମ ହେଲାଣି ରାଜନୀତି । କେଉଁ ଲୋକସଭା କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତା ଉପରେ ଏବେ ସମସ୍ତଙ୍କର ନଜର । ଗତ ୨୦୧୪ ନିର୍ବାଚନ ବେଳେ ୧୩ଟି ଲୋକସଭା ଆସନରେ ବିଜେଡି ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଅନ୍ୟ ୮ ଆସନରେ ଲୋକସଭା ପ୍ରାର୍ଥୀଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିଲା ଦଳ । ସେମାନେ ହେଲେ ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ବୈଜୟନ୍ତ ପଣ୍ଡା,ତଥାଗତ ଶତପଥୀ, ସିଦ୍ଧାନ୍ତ ମହାପାତ୍ର, କଳିକେଶ ସିଂହଦେଓ, ଭର୍ତ୍ତୃହରି ମହତାବ, ଅର୍ଜୁନ ସେଠୀ। ଏହି ଆଠଜଣଙ୍କ ମଧ୍ୟରୁ ଏଥର ଭଦ୍ରକ ଲୋକସଭା ଆସନର ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ବଦଳରେ ନୂଆମୁହଁକୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦ୍ରାପଡା ରାଜନୀତିର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ନାଁ ଶୁଣାଯାଉଛି । କିନ୍ତୁ ପ୍ରତାପ କହିଛନ୍ତି, ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମାନିନେବୁ ।
କେବଳ ଲୋକସଭା ଆସନ ପାଇଁ ନୁହେଁ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ବିଜେଡି ରଣନୀତି । ଏଥର ଦଳୀୟ ଟିକେଟ୍ ଚୟନ ବେଳେ ଯୁବ ଓ ମହିଳାଙ୍କୁ ଅଧିକ ବିଜେଡି ଗୁରୁତ୍ୱ ଦେବ ବୋଲି ସୂଚନା ମିଳୁଛି। ଦଳର କିଛି ବରିଷ୍ଠ ନେତାଙ୍କ ବଦଳରେ ସେମାନଙ୍କ ପୁଅକୁ ସୁଯୋଗ ଦେଇପାରନ୍ତି ବିଜେଡି ସୁପ୍ରିମୋ । ମିିଳିଥିବା ସୂଚନା ଅନୁସାରେ ପାରାଦୀପରୁ ଏଥର ଦାମୋଦର ରାଉତଙ୍କ ପୁଅ ସମ୍ବିତଙ୍କୁ ଟିକେଟ୍ ମିଳିବା ସମ୍ଭାବନା ଅଧିକା ରହିଛି। ସେହିପରି କିଛି ସ୍ଥାନରେ ବର୍ତ୍ତମାନର ବିଧାୟକଙ୍କ ବଦଳରେ ସେମାନଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।
ବିଜେଡିରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବହୁତ ଲମ୍ବା। ଏହାକୁ ଦୃଷ୍ଟିରେ ରଖି ଟିକେଟ ଚୟନ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।