ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ପଳାତକ ଘୋଷିତ, ଏପର୍ଯ୍ୟନ୍ତ ୭୮ ସମର୍ଥକ ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ ପଳାତକ ଘୋଷିତ । ପଞ୍ଜାବ ପୋଲିସ ଆଲର୍ଟ ମୋଡରେ ରହିଛି । ଏପର୍ଯ୍ୟନ୍ତ ୭୮ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି । ପଞ୍ଜାବରେ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ ପଳାତକ ଘୋଷିତ । ଅମ୍ରିତପାଲକୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ଆଜି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏହି ସର୍ଚ୍ଚ ଅପରେସନ ବେଳେ ଅମ୍ରିପାତଲ କନଭୟକୁ ପୋଲିସ ଜଲନ୍ଧର ପାଖରେ ଅଟକାଇ ଗିରଫ କରିବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସକୁ ଚକମା ଦେଇ ଅମ୍ରିତପାଲ ସିଂହ ଜଲନ୍ଧରର ମେହାତପୁର ଠାରୁ ଖସି ଯିବାକୁ ସକ୍ଷମ ହୋଇଛି। ତେବେ ଅମ୍ରିତପାଲର ୬ ଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖିଛି । ଏହାପୂର୍ବରୁ ଅମ୍ରିତପାଲର ମାର୍ଗଦର୍ଶକ ଦଲଜିତ କଲସୀଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଛି । ଏହାପରେ ପୋଲିସ ଆଲର୍ଟ ମୋଡରେ ରହିଛି । ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଜଳନ୍ଧର ସମେତ ଅନେକ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୭୮ ଜଣଙ୍କୁ ଗିରଫ କରାଯାଇଛି। ଅମ୍ରିତପାଲ ସିଂଙ୍କ ସମେତ ଅନ୍ୟ କେତେଜଣ ଫେରାର ରହିଛନ୍ତି । ରାଜ୍ୟବ୍ୟାପୀ ଅପରେସନ ସମୟରେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏପର୍ଯ୍ୟନ୍ତ ଗୋଟିଏ ୩୧୫ ରାଇଫଲ, ୧୨ ବୋର ୭ ରାଇଫଲ, ଗୋଟିଏ ରିଭଲଭର ଏବଂ ବିଭିନ୍ନ କ୍ୟାଲିବରର ୩୭୩ ଅଫୁଟା କାର୍ଟ୍ରିଜ ସମେତ ୯ ଟି ଅସ୍ତ୍ର ଉଦ୍ଧାର କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ସମାଜ ମଧ୍ୟରେ ଅସହଯୋଗ ସୃଷ୍ଟି କରିବା, ହତ୍ୟା ଉଦ୍ୟମ, ପୋଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ଖଲିସ୍ତାନୀ ସମର୍ଥକ ବୋଲି କୁହାଯାଉଛି।

‘ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମୃତପାଲ ସିଂଙ୍କର କିଛି ସମର୍ଥକ ସୋସିଆଲ ମିଡିଆରେ କିଛି ଭିଡିଓ ସେୟାର କରିଥିଲେ ଯେ ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ଗତ ମାସରେ ଅମ୍ରିତପାଲ ଓ ତା’ର ସମର୍ଥକମାନଙ୍କୁ ଖଲିସ୍ତାନ ସପକ୍ଷବାଦୀ ଭାବେ ଘୋଷଣା କରାଯାଇଥିଲା। ଅମ୍ରିତପାଲ ମଧ୍ୟ ଖୋଲାଖୋଲି ଖଲିସ୍ତାନ ଗଠନ ସପକ୍ଷରେ ମତ ରଖିଥିଲା।

ପୋଲିସ କିଛି ଦିନ ତଳେ ଅମ୍ରିତପାଲ ସିଂହର ଜଣେ ସହଯୋଗୀକୁ ଗିରଫ କରିଥିଲା। ସହଯୋଗୀକୁ ଥାନାରୁ ଖଲାସ କରିବା ପାଇଁ ହଜାର ହଜାର ଲୋକ ସେଠାରେ ପହଞ୍ଚିଥିଲେ। ପୋଲିସକୁ ଆକ୍ରମଣ ମଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଅମ୍ରିତପାଲର ଗିରଫ ସହଯୋଗୀକୁ ଜାମିନ ମିଳିଥିଲା। ତେବେ ସେବେଠାରୁ ଅମ୍ରିତପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଦୀର୍ଘଦିନ ହେଲା ଦୁବାଇରେ ରହୁଥିବା ଅମ୍ରିତପାଲ ସିଂହ ଗତବର୍ଷ ଭାରତ ଆସିଛି। ସେ ନିଜକୁ ଖଲିସ୍ତାନ ସପକ୍ଷବାଦୀ କହୁଥିବା ବେଳେ ଭାରତୀୟ ନୁହେଁ ବୋଲି ଖୋଲାଖୋଲି ଘୋଷଣା କରିଛି। ଦୀପ ସିଦ୍ଧୁ ଅମ୍ରିତପାଲଙ୍କୁ ପ୍ରସ୍ତୁତ କରିଥିଲେ । ଦୀପ ସୁଦ୍ଧୁର ମୃତ୍ୟୁ ପରେ ଅମ୍ରିତପାଲ ଦଳର ଦାୟିତ୍ୱ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.