ଆନ୍ଧ୍ର ପ୍ରଦେଶରେ ତିଆରି ହେବାକୁ ଯାଉଛି ୩୦୦୦ ମନ୍ଦିର, ଉପମୁଖ୍ୟମନ୍ତ୍ରୀ କହିଲେ, ‘ହିନ୍ଦୁ ଧର୍ମର ରକ୍ଷା ପାଇଁ ଏହା ଜରୁରୀ’
ଆନ୍ଧ୍ର ପ୍ରଦେଶରେ ୩୦୦୦ ମନ୍ଦିର ନିର୍ମାଣ କରାଯିବ। ଖୁବ୍ ଜଲ୍ଦି ରାଜ୍ୟର ପ୍ରତ୍ୟେକ ଗ୍ରାମରେ ନିର୍ମାଣ ହେବ ଗୋଟିଏ ଲେଖାଏ ମନ୍ଦିର। ଆନ୍ଧ୍ର ପ୍ରଦେଶ ସରକାରରେ ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ ଏହା କହିଛନ୍ତି।

ଆନ୍ଧ୍ର ପ୍ରଦେଶ ସରକାର ଆଗାମୀ ଦିନରେ ରାଜ୍ୟରେ ୩୦୦୦ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି। ସରକାର କହିଛନ୍ତି ଯେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏ ମନ୍ଦିର ନିର୍ମାଣ କରାଯିବ। ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମର ସୁରକ୍ଷା ତଥା ପ୍ରଚାର ପାଇଁ ଏହି ପଦକ୍ଷେପ ନିଆଯାଇଛି। କୋଟୁ ସତ୍ୟନାରାୟଣ ଅନୁସାରେ, ଦୁର୍ବଳ ବର୍ଗ ଅଞ୍ଚଳରେ ହିନ୍ଦୁ ମନ୍ଦିରର ନିର୍ମାଣ କାର୍ଯ୍ୟ ବ୍ୟାପକ ସଂଖ୍ୟାରେ ଆରମ୍ଭ ହୋଇଛି।
ତିରୁମାଲା ତିରୁପତି ଦେବସ୍ଥାନମ୍ର ଶ୍ରୀବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ମନ୍ଦିର ପିଛା ୧୦ ଲକ୍ଷ ଟଙ୍କା ଲେଖାଏ ଆବଣ୍ଟିତ କରିଛି। ରାଜ୍ୟରେ ୧,୩୩୦ ମନ୍ଦିର ନିର୍ମାଣ ଆରମ୍ଭ କରିବା ବ୍ୟତୀତ ଏହି ତାଲିକାରେ ଆଉ ୧,୪୬୫ ମନ୍ଦିର ମଧ୍ୟ ଯୋଡ଼ା ଯାଇଛି। ଏହିଭଳି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଆହୁରି ୨୦୦ ମନ୍ଦିର ନିର୍ମାଣ କରାଯିବ।
ସତ୍ୟନାରାୟଣ କହିଛନ୍ତି ଯେ ଅବଶିଷ୍ଟ ମନ୍ଦିରଗୁଡିକ ଅନ୍ୟ ସ୍ୱୟଂସେବୀ ସଂସ୍ଥାର ସହଯୋଗରେ ନିର୍ମାଣ ହେବ। ଡେପୁଟି ସିଏମ୍ଙ୍କ ଅନୁସାରେ, ଏଣ୍ଡୋଓମେଣ୍ଟ ବିଭାଗର ତତ୍ତ୍ୱବଧାନରେ ୯୭୮ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ପ୍ରତ୍ୟେକ ୨୫ ମନ୍ଦିରର କାର୍ଯ୍ୟ ଜଣେ ସହକାରୀ ଇଞ୍ଜିନିୟରଙ୍କୁ ହସ୍ତାନ୍ତର କରାଯାଇଛି।
କିଛି ମନ୍ଦିରର ପୁନର୍ନିମାଣ ଏବଂ ମନ୍ଦିରରେ ଅନୁଷ୍ଠାନଗୁଡ଼ିକ ପାଇଁ ଆବଣ୍ଟିତ ୨୭୦ କୋଟି ଟଙ୍କା ମଧ୍ୟରୁ ୨୩୮ କୋଟି ଟଙ୍କା ଜାରି ହୋଇ ସାରିଛି। ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ଧୂପ ଦୀପ ଯୋଜନା ଅଧୀନରେ ୨୦୧୯ରେ ୧୫୬୧ଟି ମନ୍ଦିର ପଞ୍ଜିକୃତ ହୋଇଥିଲା, ଏବେ ଏହାର ସଂଖ୍ୟା ୫୦୦୦ ହୋଇଯାଇଛି।