ନିଜର ନ ଥିଲା ପିଲାଛୁଆ, ପୁତୁରାକୁ ଜୀବନଠୁ ବଳି ଭଲ ପାଉଥିଲା ଦାଦା, ହେଲେ ରାଗ ରଖି ସେହି ପୁତୁରାକୁ ହିଁ ଶେଷ କରିଦେଲା ଖୁଡ଼ୀ
ତେଲେଙ୍ଗାନାର ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ୩ ବର୍ଷର ଛୁଆକୁ ଛାତରୁ ତଳକୁ ଫିଙ୍ଗି ହତ୍ୟା କରିଛନ୍ତି। ମହିଳା ଜଣକ ଏଭଳି କାଣ୍ଡ କରିବା ପଛରେ ଯାହା କାରଣ ରହିଛି, ଆପଣ ଜାଣିଲେ ହତ୍ବାକ ହୋଇଯିବେ। ଖବର ରହିଛି କି, ମହିଳାଙ୍କ ସ୍ୱାମୀ ଛୁଆଟିକୁ ବହୁତ ଭଲ ପାଉଥିଲେ, କିନ୍ତୁ ଏଥିରେ ସ୍ତ୍ରୀ ଖୁସି ନ ଥିଲେ। ସେମାନଙ୍କ ବିବାହକୁ ୧ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ନ ଥିଲେ। ସ୍ୱାମୀ ଯେଉଁ ଛୁଆଟିକୁ ଭଲ ପାଉଥିଲେ, ସେ ଥିଲେ ତାଙ୍କ ପୁତୁରା। ଆଉ ଏହାକୁ ନେଇ ସ୍ତ୍ରୀ ସବୁବେଳେ ମନ ଭିତରେ ରାଗ ରଖୁଥିଲେ।
ଘଟଣା ଘଟିଛି ଚାରମିନାରର ଭବାନୀନଗର ଥାନା ଅଞ୍ଚଳରେ। ଏଠାରେ ୨୨ ବର୍ଷୀୟା ଆୟେଶା ନିଜ ପୁତୁରା ନୁଆନଙ୍କୁ ବିଲ୍ଡିଂର ଦ୍ୱିତୀୟ ମହଲାରୁ ତଳକୁ ଫିଙ୍ଗି ଦେଇଛନ୍ତି। ନୁଆନଙ୍କୁ ପରିବାରର ସବୁ ସଦସ୍ୟ ବହୁତ ଭଲ ପାଉଥିବା ବେଳେ ଆୟେଶା କିନ୍ତୁ ଘୃଣା କରୁଥିଲେ। କାରଣ, ତାଙ୍କର ନିଜର କୌଣସି ଛୁଆ ନ ଥିଲା।
ପୋଲିସ ସୂଚନା ମୁତାବକ, ଉକ୍ତ ବିଲ୍ଡିଂରେ ମହମ୍ମଦ ଇତେଶାମୁଦ୍ଦିନ୍ ଓ ଶୁଜାଉଦ୍ଦିନ୍ଙ୍କ ପରିବାର ରୁହନ୍ତି। ବଡ଼ ଭାଇର ବିବାହ ପରେ ଏକ ପିଲା ହୋଇଥିଲା। କିନ୍ତୁ ସାନ ଭାଇର କୌଣସି ପିଲାଛୁଆ ନ ଥିଲା। ତେବେ ଘଟଣା ଦିନ ଅର୍ଥାତ୍ ମଙ୍ଗଳବାର ମହିଳା ଜଣକ ପ୍ରଥମେ ତାଙ୍କ ପୁତୁରାକୁ ରଶିରେ ବାନ୍ଧି ପକାଇଥିଲେ ଏବଂ ଏହାପରେ ଛାତ ଉପରକୁ ନେଇ ତଳକୁ ଫିଙ୍ଗି ଦେଇଥିଲେ। ଛୁଆଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତା ଆୟେଶାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।