କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତା ‘ସୂରଜ’ର ମୃତ୍ୟୁ, ଚାରି ମାସରେ ମଲେଣି ୮ ଚିତା

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ଏହି ଚିତା ଏନ୍‌କ୍ଲୋଜର ବାହାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ଏହି ଚିତା ଏନ୍‌କ୍ଲୋଜର ବାହାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଫ୍ରିକାରୁ ଅଣାଯାଇଥିବା ନର ଚିତା ‘ସୂରଜ’ର ମୃତ୍ୟୁ ଘଟିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚରୁ କୁନୋରେ ଚିତା ମୃତ୍ୟୁ ଘଟଣା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୮ଟି ଚିତାଙ୍କର ମୃତ୍ୟୁ ଘଟି ସାରିଲାଣି, ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ୩ ଦିନ ପୂର୍ବରୁ ହିଁ ଏଠାରେ ଆଫ୍ରିକାରୁ ଆସିଥିବା ନର ଚିତା ‘ତେଜସ୍‌’ ଆଖି ବୁଜିଥିଲା।

ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ସକାଳେ ଏକ ତଦାରଖ ଦଳ ସୂରଜକୁ ପାଲପୁର ପୂର୍ବ ବନ ରେଞ୍ଜର ମସାବନୀ ବିଟ୍‌ରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଯେତେବେଳେ ଟିମ୍‌ର ସଦସ୍ୟମାନେ ଏହା ନିକଟକୁ ଯାଇଥିଲେ, ସେତେବେଳେ ସୂରଜର ବେକରେ ପୋକ ସାଲୁବାଲୁ ହେଉଥିଲେ। ତଥାପି ସେ ଉଠି ସେଠାରୁ ପଳାଇ ଯାଇଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ପଶୁ ଚିକିତ୍ସକ ଏବଂ ବନ ଅଧିକାରୀଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସକାଳ ପ୍ରାୟ ୯ଟାରେ ସୂରଜ ମୃତ ଅବସ୍ଥାରେ ମିଳିଥିଲା। ଏହାର ପିଠି ଏବଂ ବେକରେ ଆଘାତ ଚିହ୍ନ ରହିଥିଲା। କହି ରଖୁଛୁ, ଗତ ଚାରି ମାସ ମଧ୍ୟରେ କୁନୋରେ ୮ଟି ଚିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ଚିତା ମୃତ୍ୟୁ। ଏକ ରିପୋର୍ଟରେ କୁହାଯାଇଛି ଯେ ଚିତାର ଓଜନ ପାଖାପାଖି ୪୩ କିଲୋଗ୍ରାମ ଥିଲା।

ମିଳିଥିବା ସୂଚନା ଅନୁସାରେ, ନିକଟରେ ତେଜସ୍ ଓ ସୂରଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ତେଜସ୍‌ର ବେକରେ ଗଭୀର ଆଘାତ ଲାଗିଥିଲା। ଗତ ମଙ୍ଗଳବାର ତା’ର ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ସୂରଜ ମଧ୍ୟ ଗୁରୁତର ଆହତ ହୋଇଥିଲା। ଶୁକ୍ରବାର ତା’ର ମୃତ୍ୟୁ ଘଟିଛି। ଏମାନଙ୍କ ବ୍ୟତୀତ ‘ଅଗ୍ନି’ ନାମକ ଚିତା ବି ଆହତ ହୋଇଛି। ତା’ର ଗୋଡ଼ ଫାଟିଯାଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.