ଜୁନରୁ ସାଧାରଣ ଲୋକଙ୍କ ପାଇଁ ଆପୋଲୋରେ ମିଳିବ ଋଷ ଭ୍ୟାକ୍ସିନ ସ୍ପୁଟନିକ ଭି, ୨ କୋଟିଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଏଥିରେ ରୋକ୍ ଲଗାଇବାର ଏକମାତ୍ର ମାଧ୍ୟମ ଏବେ କେବଳ ଟିକା। ଏଣୁ ଭାରତରେ ଟିକା ଦାନ ପ୍ରକ୍ରିୟା ଜୋରଦାର ଚାଲିଛି। ଏଣୁ ଭାରତୀୟ ଟିକା ସହ ଋଷର ଟିକା ସ୍ପୁଟନିକକୁ ବି ଭାରତରେ ମଞ୍ଜୁରୀ ମିଳିଛି। ଭାରତର ଡ. ରେଡ୍ଡୀ ଲ୍ୟାବରୋଟୋରୀ ଏହି ଭ୍ୟାକ୍ସିନ ଉତ୍ପାଦନ କରୁଛି। ତେବେ ଜୁନ ଦ୍ଵିତୀୟ ସପ୍ତାହରୁ ଏହି ଟିକା ଦାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏ ନେଇ ଘୋଷଣା କରିଛନ୍ତି ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ।

କମ୍ପାନୀର ଏକଜିକ୍ୟୁଟିଭ ଭାଇସ ଚେୟାରପର୍ସନ ଶୋଭନା କମିନେନୀ କହିଛନ୍ତି, ଆମ ହସ୍ପିଟାଲରେ ଇତି ମଧ୍ୟରେ ୧୦ ଲକ୍ଷ ଡୋଜ ଦିଆସରିଲାଣି। ଏଥିରେ ଫ୍ରଣ୍ଟଲାଇନ ୱାର୍କର, ହାଇ ରିସ୍କ ଗ୍ରୁପ ଓ କର୍ପୋରେଟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯାଇଥିଲା। କିନ୍ତୁ ଏବେ ସମସ୍ତଙ୍କୁ ଟିକା ଦିଆଯିବ।

ଋଷର ଭ୍ୟାକ୍ସିନ ସ୍ପୁଟନିକ ଭି ଜୁନ ମାସ ଦ୍ଵିତୀୟ ସପ୍ତାହରୁ ସାରା ଦେଶରେ ଆପୋଲୋ ହସ୍ପିଟାଲରେ ମିଳିବ। ଜୁନରୁ ପ୍ରତି ସପ୍ତାହରେ ୧୦ ଲକ୍ଷ ଡୋଜ୍ ଦିଆଯିବ। ଏହା ପରେ ଜୁଲାଇରେ ଏହି ସଂଖ୍ୟାକୁ ଦୁଇଗୁଣ କରାଯିବ। ଶୋଭନା କହିଛନ୍ତି, ଚଳିତବର୍ଷ ସେପ୍ଟେମ୍ବର ଭିତରେ ଆମେ ୨ କୋଟି ଭ୍ୟାକ୍ସିନର ଡୋଜ୍ ଦେବାକୁ ଯୋଜନା କରୁଛୁ। ତେବେ ସ୍ଫୁଟନିକ ଭି ଦିଆଗଲେ ଦେଶରେ କରୋନା ସଂକ୍ରମଣ ଆହୁରି କମିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.