‘ତିହାରରେ ପ୍ରତିଦିନ ମୋର ସୁଗାର ଲେବଲ୍‌ ଯାଞ୍ଚ ହେଉ’, କୋର୍ଟରେ ଆବେଦନ କଲେ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଜେଲ୍‌ ଭିତରେ ତାଙ୍କର ସୁଗାର ଲେବଲ୍‌ ନିୟମିତ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଦିଲ୍ଲୀର ବିବାଦୀୟ ମଦ ନୀତି ମାମଲାରେ ଗିରଫ ହୋଇଛନ୍ତି କେଜ୍ରିଓ୍ଵାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଜେଲ୍‌ ଭିତରେ ତାଙ୍କର ସୁଗାର ଲେବଲ୍‌ ନିୟମିତ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଦିଲ୍ଲୀର ବିବାଦୀୟ ମଦ ନୀତି ମାମଲାରେ ଗିରଫ ହୋଇଛନ୍ତି କେଜ୍ରିଓ୍ଵାଲ । ତାଙ୍କର ସୁଗାର ଲେବଲ୍‌ ନିୟମିତ ପରୀକ୍ଷଣ ଆବେଦନ ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ଏକ ବିଜ୍ଞପ୍ତି ଜାରି କରି ଇଡିଠାରୁ ଜବାବ ମାଗିଛନ୍ତି ।

କେଜ୍ରିୱାଲଙ୍କ ଓକିଲ ଶୁଣାଣି ସମୟରେ କୋର୍ଟଙ୍କୁ କହିଛନ୍ତି ଯେ ଜେଲ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁଗାର ଲେବଲ୍‌ କ୍ରମାଗତ ଭାବେ ଉପର-ତଳ ହେଉଛି । ଇଡି ହେପାଜତ ସମୟରେ ତାଙ୍କର ବ୍ଲଡ୍‌ ସୁଗାର ଲେବଲ୍‌ ୪୬କୁ ଖସି ଆସିଥିଲା । ତେଣୁ ଗିରଫଦାରୀ ପୂର୍ବରୁ କେଜ୍ରିୱାଲଙ୍କୁ ଯେଉଁ ଡାକ୍ତର ପରୀକ୍ଷା କରୁଥିଲେ, ସେହି ଡାକ୍ତରଙ୍କୁ ସପ୍ତାହରେ ତିନି ଦିନ ଭର୍ଚୁଆଲ ପରାମର୍ଶ ନେଇ କେଜ୍ରିଓ୍ଵାଲଙ୍କୁ ଅନୁମତି ଦିଆଯାଉ ।

ଏପଟେ ଇଡିର ଓକିଲ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବା ପାଇଁ କୋର୍ଟରୁ ସମୟ ମାଗିଛନ୍ତି । ସେ କହିଛନ୍ତି, ତିହାର ଜେଲରେ ଡାକ୍ତର ଅଛନ୍ତି । ସେମାନଙ୍କ ପାଖରେ ମଧ୍ୟ ଯାଞ୍ଚ କରାଯାଇପାରିବ । ଏହାର ଅର୍ଥ ଯାଞ୍ଚ ସେଠାରେ ମଧ୍ୟ ହୋଇପାରିବ । ତେବେ ରାଉସ୍ ଆଭେନ୍ୟୁ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଇଡିକୁ ନୋଟିସ୍‌ ଜାରି କରି ଏହାର ଜବାବ ଦାଖଲ କରିବାକୁ କହିଛନ୍ତି । ଏହା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଏପ୍ରିଲ୍ ୧୮ ଅପରାହ୍ନ ୨ଟାରେ କୋର୍ଟ ସ୍ଥିର କରିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ସୋମବାର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ନିକଟରେ ତାଙ୍କୁ ଆଉ ଏକ ଝଟ୍‌କା ମିଳିଥିଲା । ନ୍ୟାୟିକ ହେପାଜତରେ ରହିବା ବେଳେ ଓକିଲଙ୍କୁ ଭେଟିବା ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଥିଲେ । କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ଭେଟିବା ପାଇଁ ଅନୁମତି ମାଗିଥିଲେ । ଏବେ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ ପାଇଁ ଅନୁମତି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.