ହିନ୍ଦୀ ହାର୍ଟଲାଣ୍ଡରେ ବଡ଼ ମୁକାବିଲା, ୨୦୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ ପରେ ତିନି ହିନ୍ଦୀ ଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ଦଳର କଡ଼ା ନଜର। ବିଜେପି ବି କର୍ଣ୍ଣାଟକ ପରାଜୟରୁ ଓହରି ପୁଣି ଥରେ ତିନି ରାଜ୍ୟରେ ସରକାର ଗଢିବାକୁ ଚଳାଇଛି ଜୋରଦାର କ୍ୟାମ୍ପେନ।

କେନ୍ୟୁଜ୍(ବ୍ୟୁରୋ): ୨୦୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ। ୫ ରାଜ୍ୟରେ ବିଧାନସଭା ନିର୍ବାଚନ। ହିନ୍ଦୀ ହାର୍ଟଲାଣ୍ଡରେ ବଡ଼ ମୁକାବିଲା। ବିଜେପି- କଂଗ୍ରେସ ଆମନା ସାମନା। କର୍ଣ୍ଣାଟକରେ କଂଗ୍ରେସର ବାଜିମାତ ପରେ ତିନି ହିନ୍ଦୀ ଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ଦଳର କଡ଼ା ନଜର। ବିଜେପି ବି କର୍ଣ୍ଣାଟକ ପରାଜୟରୁ ଓହରି ପୁଣି ଥରେ ତିନି ରାଜ୍ୟରେ ସରକାର ଗଢିବାକୁ ଚଳାଇଛି ଜୋରଦାର କ୍ୟାମ୍ପେନ। ତିନି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ହେବ ମୁକାବିଲା। କିଏ ମାରିବ ବାଜି? କାହାକୁ ମିଳିବ ସଂଖ୍ୟାଗରିଷ୍ଠତା? ଡିସେମ୍ବର ୩ତାରିଖରେ ଚିତ୍ର ହେବ ସ୍ପଷ୍ଟ। ଏହି ତିନି ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ। ଲୋକସଭା ନିର୍ବାଚନ ପାଇଁ ରଣନୀତି ପାଇଁ ନିର୍ବାଚନ ଫଳାଫଳରୁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ।
 
୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୮ ରାଜନୈତିକ ଦଳକୁ ନେଇ ଗଠିତ ହୋଇଛି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ। ବିଜେପି ବିରୋଧରେ ଏକାଠି ଲଢେଇ କରି କ୍ଷମତାକୁ ଆସିବାକୁ ରହିଛି ଟାର୍ଗେଟ। ୩ ହିନ୍ଦୀ ହାର୍ଟଲାଣ୍ଡର ଫଳାଫଳ ମେଣ୍ଟର ଭବିଷ୍ୟତକୁ ମଧ୍ୟ ନିର୍ଦ୍ଧାରିତ କରିପାରେ। କଂଗ୍ରେସ ଭଲ ପ୍ରଦର୍ଶନ କଲେ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବାର ସମ୍ଭାବନା ଅଧିକ ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ତିନି ରାଜ୍ୟର ମୋଟ୍ ବିଧାନସଭା ଆସନ ସଂଖ୍ୟା ୫୨୦। ୨୦୧୮ ବିଧାନସଭା ନିର୍ବାଚନରେ ରାଜସ୍ଥାନର ୨ଶହ ଆସନରୁ ଶହେ ସିଟରେ ବିଜୟ ଲାଭ କରି ସରକାର ଗଢିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ। ବିଜେପି ଖାତାକୁ ଯାଇଥିଲା ୭୩ ଆସନ। ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ ୧୧୪ ଆସନରେ ବିଜୟୀ ହୋଇ କଂଗ୍ରେସ ସରକାର ଗଢିଥିଲା। ବିଜେପିକୁ ମିଳିଥିଲା ୧୦୯ ସିଟ। ମୁଖ୍ୟମନ୍ତ୍ରୀ ହୋଇଥିଲେ କମଲନାଥ। କିନ୍ତୁ ୨୦୨୦ ମାର୍ଚ୍ଚରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ କିଛି କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ ସିଂ ଚୌହ୍ବାନ। ସେହିପରି ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ୬୮ ଆସନ ଜିତି ୧୫ ବର୍ଷ ପରେ ସରକାର ଗଢିଥିଲା କଂଗ୍ରେସ। ବିଜେପିକୁ ମିଳିଥିଲା୧୫ ଆସନ।

ବିଭିନ୍ନ ସଂସ୍ଥାର ଓପିନିଅନ ପୋଲର ଆକଳନ ଅନୁଯାୟୀ ରାଜସ୍ଥାନରେ ହୋଇପାରେ କ୍ଷମତା ପରିବର୍ତ୍ତନ। ସଂଖ୍ୟା ଗରିଷ୍ଠତା ସହ ବିଜେପି ଗଢିପାରେ ସରକାର। ସେଠାରେ ଦୀର୍ଘ ବର୍ଷ ଧରି କ୍ଷମତା ପରିବର୍ତ୍ତନର ରେକର୍ଡ ରହିଛି। ଛତିଶଗଡ଼ରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବାର ଆକଳନ କରିଛନ୍ତି ବିଭିନ୍ନ ଓପିନିଅନ ପୋଲ। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡ଼ା ମୁକାବିଲା। ତିନି ପ୍ରମୁଖ ରାଜ୍ୟରେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରେ ଅଶୋକ ଗେହଲଟ, ମଧ୍ୟପ୍ରଦେଶରେ କମଲ ନାଥ ଓ ଛତିଶଗଡ଼ରେ ଭୂପେଶ ବାଘେଲଙ୍କ ନେତୃତ୍ବରେ ନିର୍ବାଚନ ଲଢୁଛି କଂଗ୍ରେସ। କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛି ପୋଷ୍ଟର ବୟ। କିଏ ଭାରୀ ପଡ଼ିବେ ? ସ୍ଥାନୀୟ ନେତୃତ୍ବ ନା ମୋଦି? ବିଜେପି ନିର୍ବାଚନକୁ ଗମ୍ଭୀରତାର ସହ ନେଇଛି। ବହୁ ହେଭିୱେଟଙ୍କୁ ପ୍ରାର୍ଥି କରିଛି ବିଜେପି। ମଧ୍ୟପ୍ରଦେଶରେ ୩ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଲଢୁଥିବା ବେଳେ ବହୁ ସାଂସଦ ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। 

ବିଧାନସଭା ନିର୍ବାଚରେ ଇଣ୍ଡିଆ ମେଣ୍ଟର ସିଟ୍ ବଣ୍ଟନ ହୋଇପାରିନି। ସମାଜବାଦୀ ପାର୍ଟି, ଆପ୍ ପ୍ରମୁଖ ଦଳ ନିର୍ବାଚନ ଲଢି କଂଗ୍ରେସ ରଣନୀତିକୁ ଓଲଟପାଲଟ କରିବା ଆଶଙ୍କା ରହିଛି। ଆଣ୍ଟି ବିଜେପି ଭୋଟ ଏହା ଦ୍ବାରା ବିଭାଜିତ ହେବା ଭୟ କଂଗ୍ରେସକୁ ଘାରିଛି। ଗତ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସାଧାରଣ ନିର୍ବାଚନରେ ଅନୁରୂପ ପ୍ରଦର୍ଶନ କରିପାରିନଥିଲା।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.