Below header

ଗଲୱାନ ଘାଟି ସଂଘର୍ଷ ନେଇ ଆସିଲା ସାଂଘାତିକ ସତ: ଅଷ୍ଟ୍ରେଲିଆ ଗଣମାଧ୍ୟମ ଧରାଇଦେଲା ସତ

କେନ୍ୟୁଜ୍(ବ୍ୟୁରୋ): ଧରାପଡିଲା ଡ୍ରାଗନର ମିଛ । ଦୁନିଆ ଦେଖିଲା ଚୀନ ମିଛୁଆ । ୨୦୨୦ ଜୁନ ୧୫ ତାରିଖ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ନେଇ ଆସିଛି ସାଂଘାତିକ ସତ । ଚୀନ ଲୁଚାଉଥିବା ତଥ୍ୟକୁ ପଦାରେ ପକାଇଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ସଂଘର୍ଷ ବେଳେ ୩୮ରୁ ଅଧିକ ପିଏଲଏ ସୈନ୍ୟ ନଦୀରେ ଭାସି ଯାଇଥିବା ଦି କଲେକ୍‌ସନ୍‌ସରେ ରିପୋର୍ଟ ପ୍ରକାଶ ପାଇଛି । ୪ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପିଏଲଏ କହିଆସୁଛି । ତେବେ ଏହା ଡାହା ମିଛ ବୋଲି ପ୍ରମାଣିତ ହୋଇଛି । ଗଲୱାନରେ ଚୀନକୁ ଶକ୍ତ ଝଟକା ଲାଗିଥିବା ସ୍ପଷ୍ଟ କରିଛି ଦି କଲେକ୍‌ସନ୍‌ସ । ଚୀନର ଦାବି ତୁଳନାରେ ଏଠାରେ ୯ ଗୁଣା ଅଧିକ ସୈନିକ ମରିଥିବା ସଂସ୍ଥା ଦାବି କରିଛି । ଘଟଣା ଦିନ ରାତିରେ କଣ ହୋଇଥିଲା, କେଉଁ କାରଣରୁ ସଂଘର୍ଷର ସୂତ୍ରପାତ ହୋଇଥିଲା ସେନେଇ ବହୁ ତଥ୍ୟ ଚୀନ ଦ୍ୱାରା ଲୁଚାଯାଇଥିବା ରିପୋର୍ଟରେ ଦାବି କରାଯାଇଛି ।

ଗଲୱାନ ସଂଘର୍ଷ ପରେ ଚୀନ ବିଶ୍ୱ ସମୁଦାୟ ଆଗରେ ବହୁ ମନଗଢା କାହାଣୀ କହିଥିବା କୁହାଯାଇଛି । ଏପରିକି ଗଲୱାନ ସଂଘର୍ଷ ନେଇ ଚୀନ ମିଡିଆରେ ପ୍ରକାଶିତ ରିପୋର୍ଟକୁ ପରେ ୱେବସାଇଟରୁ ହଟାଇ ଦିଆଯାଇଥିବା ଦି କଲେକ୍‌ସନ୍‌ସରେ ପ୍ରକାଶ ହୋଇଛି । ବର୍ଷେ ଧରି ଏହି ଘଟଣାକୁ ନେଇ ଅନୁସନ୍ଧାନ କରିବା ପରେ ଦି କଲେକ୍‌ସନ୍‌ସ ପ୍ରକାଶ କରିଛି ତଥ୍ୟ ସମ୍ବଳିତ ରିପୋର୍ଟ । ଚାଇନିଜ୍‌ ବ୍ଲଗର୍‌, ମେନଲାଣ୍ଡର ଚୀନ ନାଗରିକ ଏବଂ ଗଣମାଧ୍ୟମ ରିପୋର୍ଟରୁ କିଛି ଗବେଷକ ଏହି ତଥ୍ୟ ସଂଗ୍ରହ କରିଛନ୍ତି । ଗଲୱାନ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ଦର୍ଶାଯାଇଛି ।

 ଦି କଲେକ୍‌ସନ୍‌ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଲୱାନ ନଦୀର ଏକ ପାର୍ଶ୍ୱରେ ଭାରତ ପକ୍ଷରୁ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କାମ ଆରମ୍ଭ ହେବା ପରଠୁ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଉତ୍ତେଜନା । ଚୀନ୍‌ ପକ୍ଷରୁ ମଧ୍ୟ ସେଠାରେ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ପରେ ବଫର ଜୋନରୁ ଉଭୟ ପକ୍ଷ ପଛକୁ ହଟିବେ ବୋଲି ବୁଝାମଣା ହୋଇଥିଲା । ଜୁନ ୧୫ରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସୈନ୍ୟ ଚୀନର ଗତିବିଧି ଦେଖିବାକୁ ଯାଇଥିଲେ । ସେତେବେଳେ ଚୀନ୍‌ ସୈନ୍ୟମାନେ ହଠାତ ଆକ୍ରମଣ କରିଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାତିର ଅନ୍ଧାରରେ ଗଲୱାନ ନଦୀ ଅତିକ୍ରମ କରିବାକୁ ସ୍ଥିର କରିଥିଲେ ଚୀନ୍‌ ସୈନ୍ୟ । ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ୩୮ ଡ୍ରାଗନ ସୈନ୍ୟ ।

  ଗତ ୪ ଦଶନ୍ଧିରେ ପ୍ରଥମ ଥର ପାଇଁ ୨୦୨୦ରେ ଚୀନ-ଭାରତ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏଥିରେ ମାତ୍ର ୪ ସୈନ୍ୟ ପ୍ରାଣ ହରାଇଥିବା କହୁଥିଲା ଚୀନ । ଗତ ବର୍ଷ ଫେବୃଆରୀରେ ୪ ଜଣଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲା । ଏବେ ସତ ପଦାକୁ ଆସିବା ପରେ ବିଶ୍ୱ ଦରବାରରେ ପୁଣି ଥରେ ଧରାପଡ଼ିଛି ଚୀନର ବଡ ମିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.