ଆଜିଠାରୁ ଆୟୁଷ୍ମାନ ଭାରତ : ନିର୍ଦ୍ଧାରିତ ତାରିଖର ଦୁଇ ଦିନ ଆଗରୁ ଶୁଭାରମ୍ଭ କାହିଁକି ? କାରଣ କ’ଣ ଜାଣନ୍ତୁ

ସମସ୍ତଙ୍କୁ ସ୍ବାସ୍ଥ୍ୟସେବା । କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଜନକଲ୍ଯାଣକାରୀ ଯୋଜନା ‘ଆୟୁଷ୍ମାନ ଭାରତ’  । ଆଜି ଝାଡଖଣ୍ଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ୨୫ ତାରିଖ ଦିନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରୁ ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦୁଇ ଦିନ ଆଗରୁ ଯୋଜନାର ଉଦଘାଟନ କରାଯାଉଛି । ଦେଶର ଗରିବ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ଏବଂ ଅନୁନ୍ନତ ପରିବାରକୁ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟସେବା ଯୋଗାଇ ଦେବେ କେନ୍ଦ୍ର ସରକାର । ଆୟୁଷ୍ମାନ ଭାରତ ଯୋଜନାର ନାଁ ବଦଳାଇ ଏବେ ରଖାଯାଇଛି ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ’ ।

ayushman-bharat-

ଆୟୁଷ୍ମାନ ଭାରତ କ’ଣ ?

କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟସେବା ଯୋଜନା । ଏଥିରେ ହିତାଧିକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା । ଉପକୃତ ହେବେ ଦେଶର ୧୦ କୋଟିରୁ ଅଧିକ ଗରିବ ପରିବାର । ଯୋଗ୍ୟ ହିତାଧିକାରୀ ଦେଶର ସମସ୍ତ ସରକାରୀ ଓ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଉଠାଇ ପାରିବେ । କର୍ଣ୍ଣାଟକ ସମେତ ୨୬ଟି ରାଜ୍ୟ ତୁରନ୍ତ ଲାଗୁ କରିବା ପାଇଁ ସହମତି ହୋଇଛନ୍ତି । ଦେଶବ୍ୟାପୀ ୧୫ ହଜାରରୁ ଅଧିକ ହସ୍ପିଟାଲରେ ଭପଲବ୍ଧ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହା ଭିତରେ ରହିଛି ୮ ହଜାରରୁ ଅଧିକ ଘରୋଇ ହସ୍ପିଟାଲ୍ । ଯୋଜନାରେ ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ଓ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ ।

 

କେମିତି ହେବ ହିତାଧିକାରୀ ଚୟନ ?

ସୋସିଆଲ ଇକୋନୋମିକ କାଷ୍ଟ ସେନସସ୍ (SECC) ଆଧାରରେ ହିତାଧିକାରୀ ଚୟନ କରାଯାଇଛି । ଏସ୍ଇସିସି ରିପୋର୍ଟ ଅନୁସାରେ ଦେଶର ଗ୍ରାମାଞ୍ଚଳରେ ୮ କୋଟି ୩ ଲକ୍ଷ ଓ ସହରାଞ୍ଚଳରେ ବସବାସ କରୁଛନ୍ତି ୨ କୋଟି ୩୩ ଲକ୍ଷ ପରିବାର । ଯେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ପାଖାପାଖି ୫୦ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାର ସୁଫଳ ପାଇଁ ପାରିବେ । ଏସ୍ଇସିସି ଡାଟାବେସ୍ ଆଧାରରେ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଉଛି । ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ D1, D2, D3, D4, D5, D6, D7 ଆଦି ୭ଟି ବର୍ଗରେ ବିଭକ୍ତ କରାଯାଇଛି । ସେହିପରି ସହରାଞ୍ଚଳ ପାଇଁ ୧୧ଟି ବର୍ଗରେ ଚୟନ କରାଯିବ ଯୋଗ୍ୟ ହିତାଧିକାରୀ । ରାସ୍ତାକଡ଼ରେ ଭିକ୍ଷା ବୃତ୍ତି କରୁଥିବା ଲୋକ, ଘରୋଇ ସହାୟକ, ମୋଚି, ଫେରିବାଲା କିମ୍ବା ରାସ୍ତାକଡ଼ରେ ବିକି ଗୁଜୁରାଣ ମେଣ୍ଟାଉଥିବା ଲୋକ, ନିର୍ମାଣ ଶ୍ରମିକ, ରାଜମିସ୍ତ୍ରୀ, ଧୋବା, ସଫେଇ କର୍ମଚାରୀ, ସିକ୍ଯୁରିଟି ଗାର୍ଡ, କୁଲି ଆଦିଙ୍କୁ ସାମିଲ କରାଯିବ । ସେହିପରି ଯେଉଁ ସବୁ ରାଜ୍ୟରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଲାଗୁ ହୋଇଛି ସେମାନେ ମଧ୍ୟ ଆୟୁଷ୍ମାନ ଭାରତରେ ସାମିଲ ହୋଇ ପାରିବେ ।

ayushman-bharat-scheme

ଦୁଇ ଦିନ ଆଗରୁ ଶୁଭାରମ୍ଭ କାହିଁକି ?

ସେପ୍ଟେମ୍ବର ୨୫ ତାରିଖରୁ ଆୟୁଷ୍ମାନ ଭାରତ ଆରମ୍ଭ ହେବା ନେଇ ଗତ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଦିନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ । ଏହି ଦିନଠାରୁ ଆୟୁଷ୍ମାନ ଭାରତକୁ ଦେଶବାସୀଙ୍କୁ ଭେଟି ଦେବାକୁ ଆରଏସ୍ଏସ୍ ସଂଘ ବି ଚାହୁଁଥିଲା । କିନ୍ତୁ ନିର୍ଦ୍ଧାରିତ ତାରିଖର ଦୁଇ ଦିନ ଆଗରୁ ଶୁଭାରମ୍ଭ କାହିଁକି ? ଶୁଣିବାକୁ ମିଳୁଛି, ପିତୃପକ୍ଷ ପାଇଁ ଶୁଭାରମ୍ଭକୁ ଆଗୁଆ ସାରି ଦେଉଛନ୍ତି କେନ୍ଦ୍ର ସରକାର  । କାରଣ ୨୪ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପିତୃପକ୍ଷ । ଏହି ସମୟରେ ଦେଶର ସବୁଠାରୁ ବଡ଼ ସ୍ବାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭକୁ ଉଚିତ୍ ଭାବି ନଥିଲା ସଂଘ । ଏମିତି ବି କୁହାଯାଏ, ପିତୃପକ୍ଷରେ କୌଣସି ନୂଆ କିମ୍ବା ମାଙ୍ଗଳିକ କର୍ମର ଶୁଭାରମ୍ଭ ଅଶୁଭ । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଭପଲବ୍ଧ ହେବେ ନାହିଁ । ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ କାର୍ଯ୍ଯକ୍ରମରେ ବ୍ଯସ୍ତ ରହିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯକ୍ରମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.