୨୩ ମାସ ପରେ ଜେଲରୁ ମୁକୁଳିଲେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ପୁଅ, କିନ୍ତୁ ଏବେ ବି ଥାନାରେ ଆଜମ ଖାନ୍‌

ସୀତାପୁର ଜେଲରୁ ମୁକୁଳିଲେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲାହ ଆଜମ। ଶନିବାର ସନ୍ଧ୍ୟାରେ ସେ ଜେଲ୍‌ରୁ ମୁକୁଳିଛନ୍ତି। ଅବଦୁଲ୍ଲା ଓ ତାଙ୍କ ବାପା ଆଜମ ଖାନ୍ ପ୍ରଥମେ ରାୟପୁର ଜେଲ୍‌ରେ ଥିଲେ। ଦୁହିଁଙକୁ ୨୭ ଫେବୃଆରୀ ୨୦୨୦ରେ ରାମପୁର ଜେଲରୁ ସୀତାପୁର ଜେଲକୁ ସିଫ୍ଟ କରାଯାଇଥିଲା।

ଜେଲ୍‌ ସୁପରିଟେଣ୍ଡେଟ୍‌ ସୁରେଶ ସିଂହଙ୍କ ସୂଚନା ଅନୁସାରେ, ଅବଦୁଲ୍ଲା ଆଜମଙ୍କ ମୁକୁଳିବା ଅର୍ଡର ପୂର୍ବରୁ ମିଳିଥିଲେ ହେଁ ସେଥିରେ ସମସ୍ୟା ଥିବାରୁ ତାଙ୍କୁ ଛଡ଼ାଯାଇନଥିଲା। ଏହାପରେ ରାମପୁର କୋର୍ଟରୁ ଏକ ନୂଆ ଅର୍ଡର ଆସିବା ପରେ ତାଙ୍କୁ ଜେଲ୍‌ରୁ ଖଲାସ କରାଯାଇଛି ବୋଲି ସେ ଜେଲ୍ ସୁପରିଟେଣ୍ଡେଣ୍ଟ ସୁରେଶ ସିଂହ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଅବ୍‌ଦୁଲ୍ଲାଙ୍କ ବିରୋଧରେ ବିଭିନ୍ନ ମାମଲାରେ ରାମପୁରରେ ୪୩ଟି ମାମଲା ରୁଜୁ ହୋଇଛି। କୋର୍ଟ ସମସ୍ତ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅବଦୁଲ୍ଲା ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଜେଲ୍ ବାହାରେ ଏକାଧିକ ସମର୍ଥକ ଭିଡ଼ ଲଗାଇଥିଲେ। ଏହାପରେ ଅବଦୁଲ୍ଲାଙ୍କୁ ଏକ କାର୍‌ରେ ବସାଇ ତାଙ୍କ ପରିବାର ଲୋକ ରାମପୁର ନେଇଯାଇଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅବଦୁଲ୍ଲା କହିଛନ୍ତି ” ଅତ୍ୟାଚାର ଶେଷ ହେବ ଏବଂ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ଅଚ୍ୟାଚାରୀଙ୍କୁ ଲୋକେ ଗାଦିଚ୍ୟୁତ କରିଦେବେ।” ସୂଚନା ଥାଉକି ୟୁପିର ୪୦୩ ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବୃଆରୀ ୧୦ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ମାର୍ଚ୍ଚ ୭ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ଆଜମ୍‌ ଖାନ୍‌ଙ୍କ ମାମଲା କ’ଣ?

ସପା ନେତା ଆଜମ ଖାନ୍‌ଙ୍କ ବିରୋଧରେ ରାମପୁର ପୁଲିସ ଛେଳି ଓ ବାଛୁରୀ ଚୋରି କରିଥିବା ନେଇ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ୧୫ ଅକ୍ଟୋବର ୨୦୧୬ରେ ଆଜମ୍‌ ୭ ଜଣ ସାଙ୍ଗ ଓ ୨୫ ଜଣ ଅଜଣା ଲୋକଙ୍କ ସହ ରାମପୁରର ନସୀମା ଖାତୁନ୍‌ ନାମ୍ନୀ ମହିଳାଙ୍କ ଘରେ ପଶି ୩ଟି ମଇଁଷି, ଗୋଟିଏ ବାଛୁରୀ ଓ ୪ଟି ଛେଳି ନେଇ ଚାଲିଯାଇଥିଲେ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ତେବେ କେବଳ ଏତିକି ନୁହେଁ ଆଜମ୍‌ ମହିଳାଙ୍କ ପାଉଁଜି ଓ କାନ ଫୁଲ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି।