କରୋନାର ଡେଲ୍ଟା ଭାରିଏଣ୍ଟ ପାଇଁ ବାଙ୍ଗଲାଦେଶରେ ପୁଣିଥରେ ଲକଡାଉନ ବ୍ୟବସ୍ଥା ଲାଗୁ

କରୋନା ଭୟରେ ସାରା ଦୁନିଆରେ ସରକାର ଲକଡାଉନ ଓ ସଟଡାଉନ ଭଳି ନିୟମ ଲାଗୁ କରିବା ସହ ମାସ୍କ, ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ବଢ଼ାଇଛନ୍ତି। ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଉଥିବା ବେଳେ ଏବେ କିଛି ଦେଶରେ ଲକଡାଉନ ଓ ସଟଡାଉନ ବ୍ୟବସ୍ଥାକୁ କୋହଳ କରାଯାଇଛି। କିନ୍ତୁ କରୋନାର ଡେଲ୍ଟା ଭାରିଏଣ୍ଟ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି।
ବାଙ୍ଗଲାଦେଶରେ କରୋନାର ପ୍ରଭାବ ପୁନର୍ବାର ବଢ଼ିବାକୁ ଲାଗିଛି। କରୋନାର ଡେଲ୍ଟା ଭାରିଏଣ୍ଟ ଦ୍ରୁତ ଗତିରେ ବଢ଼ୁଥିବାର ଦେଖି ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଦେଶକୁ ପୁନର୍ବାର ଲକଡାଉନ ଘୋଷଣା କରିଛନ୍ତି। ୨୩ ଜୁଲାଇ ୨୦୨୧ ଶୁକ୍ରବାର ଅର୍ଥାତ ଆଜିଠାରୁ ବାଙ୍ଗଲାଦେଶରେ ଲାଗିଛି ଲକଡାଉନ। ଏହା ୫ ଅଗଷ୍ଟ ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ଜରୁରୀକାଳିନ ସେବାକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟ ପ୍ରତି ରୋକ ଲଗାଯାଇଛି।
କରୋନାର ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ସଂଖ୍ୟାକୁ ଦୃଷ୍ଟିରେ ରଖି ଗୁରୁବାର ଲୋକ ପ୍ରଶାସନ ମନ୍ତ୍ରୀ ଫରହା ହୁସୈନ ଲକଡାଉନ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅପେକ୍ଷା ଏଥର ଅଧିକ ଶକ୍ତ ନିୟମ ଲାଗୁ କରାଯିବ। ଏହା ପାଇଁ ଢ଼ାକାରେ ଥିବା ଅନେକ ପ୍ରବାସୀ ଅଞ୍ଚଳ ଛାଡି ଯାଉଥିବାର ଦେଖିବାକୁ ମିଳିଛି। ତେବେ ୨୨ ଜୁନରୁ ବିଭିନ୍ନ ସହରରେ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି।