ମହିଳା ଦେଶ ଚଳାଇଲେ ସମସ୍ୟା ରହିବନାହିଁ, ନାରୀ ସଶକ୍ତିକରଣରେ ବାଧକ ସାଜୁଛନ୍ତି ବୟସ୍କ: ଆମେରିକା ପୂର୍ବ ରାଷ୍ଟ୍ରପତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମହିଳା ସଶକ୍ତିକରଣକୁ ନେଇ ବଡ଼ ବୟାନ୍‌ ଦେଇଛନ୍ତି। ଓବାମା କହିଛନ୍ତି ଯଦି ଦୁନିଆକୁ ମହିଳାମାନେ ଚଳାଇବେ ତେବେ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଘଟିବ ଓ ଦେଶରେ ପରିବର୍ତ୍ତନ ଦେଖାଦେବ।

ସିଙ୍ଗାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାର ପୂର୍ବ ରାଷ୍ଟ୍ରପତି ନାରୀ ଶକ୍ତିର ପ୍ରଶଂସା କରି କହିଛନ୍ତି ମହିଳାମାନେ ସର୍ବଶ୍ରେଷ୍ଠ ହୋଇନଥିଲେ ମଧ୍ୟ ପୁରୁଷଙ୍କଠାରୁ ଉତ୍ତମ। ସେ ରାଷ୍ଟ୍ରପତି ଥିବା ବେଳେ ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ସୁଯୋଗ ଦେବାକୁ ଚାହୁଁଥିବା କହିଛନ୍ତି।

ଦେଶର ଶାସନ ଭାର ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ନେଇପାରିବେ ଓ ଭଲ ଭାବେ ସଞ୍ଚାଳନ କରିପାରିବେ। ଏହାଦ୍ୱାରା ଲୋକଙ୍କ ଜୀବନସ୍ତର ସୁଧୁରିବ। ବର୍ତ୍ତମାନର ମହିଳାମାନେ ଆଗକୁ ବଢ଼ିବାରେ ବୃଦ୍ଧମାନେ ପ୍ରତିବଦ୍ଧକ ସାଜୁଥିବା ଓବାମା କହିଛନ୍ତି।

୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ପଦରେ ରହି ଶାସନଭାର ସମ୍ଭାଳିଥିଲେ। ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ଓବାମା ଏବେ ଜଣେ ସାଧାରଣ ମଣିଷ ଭାବେ ଜୀବନଯାପନ କରୁଛନ୍ତି। ସେ ବର୍ତ୍ତମାନ ରାଜନୀତିଠୁ ଦୂରରେ ରହି ପତ୍ନୀ ମିସେଲ୍‌ଙ୍କ ସହ ‘ଓବାମା ଫାଉଣ୍ଡେସନ୍‌’ଚଳାଉଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.