କ୍ୟାରି ବ୍ୟାଗ୍ ପାଇଁ ଗ୍ରାହକଙ୍କଠୁ ୩ ଟଙ୍କା ନେଇଥିଲା ବାଟା , ଏବେ ୯୦୦୦ ଟଙ୍କା ଦେବ ଜରିମାନା

ବାଟାର ବାଜିଲା ବ୍ୟାଣ୍ଡ । ଗ୍ରାହକଙ୍କଠୁ କ୍ୟାରିବ୍ୟାଗ୍ ପାଇଁ ୩ ଟଙ୍କା ନେଇ ୯୦୦୦ ଟଙ୍କା ତଣ୍ଡ ଗଣିଲା ବାଟା । ଘଟଣାଟି ହୋଇଛି ଚଣ୍ଡିଗଡରେ । ଦିନେଶ ପ୍ରସାଦ ରାତୁରି ନାମକ ଜଣେ ଗ୍ରାହକଙ୍କୁ ବାଟା ଏକ ପେପର୍ କ୍ୟାରି ବ୍ୟାଗ୍ ବାବଦରେ ୩ ଟଙ୍କା ମାଗିଥିଲା । ପେପର୍ କ୍ୟାରି ବ୍ୟାଗ୍ ସମେତ ଏଥିପାଇଁ ଷ୍ଟୋର୍ ୪୦୨/- ବିଲ୍ କରିଥିଲା । ଏନେଇ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ ଦିନେଶ । ଗ୍ରାହକଙ୍କ ସେବାରେ ତ୍ରୁଟି କରିଥିବାରୁ ‘ବାଟା ଇଣ୍ଡିଆ ଲିମିଟେଡ୍’କୁ ୯୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛି ଖାଉଟି ଅଦାଲତ ।

ଅଭିଯୋଗ ମୂତାବକ ଫେବ୍ରୁଆରି ୫ ତାରିଖରେ ଏକ ‘ବାଟା’ ଷ୍ଟୋର୍ରୁ ।ହଳେ ଜୋତା କିଣିଥିଲେ ଦିନେଶ । କାଗଜ କ୍ୟାରି ବ୍ୟାଗ୍ ସମେତ ଏଥିପାଇଁ ଷ୍ଟୋର୍ ୪୦୨/- ବିଲ୍ କରିଥିଲା। ତେବେ ଦିନେଶ ଖାଉଟି ଅଦାଲତକୁ ଅଭିଯୋଗ କରି କହିଥିଲେ ବ୍ୟାଗ୍ ବାବଦରେ ୩ ଟଙ୍କା ନେଇ ସେଥିରେ ‘ବାଟା’ର ବ୍ରାଣ୍ଡ୍ ଛାପିବା ଅନ୍ୟାୟ।

ତେଣୁ ତିନି ଟଙ୍କା ଫେରି ପାଇବା ଏବଂ ସେବାରେ ତ୍ରୁଟି ବାବଦରେ କ୍ଷତିପୂରଣ ପାଇଁ ଦିନେଶ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ। ଅନ୍ୟପଟେ ବାଟା କହିଛି ସେମାନଙ୍କ ସେବାରେ କୌଣସି ତ୍ରୁଟି ନଥିଲା । କିନ୍ତୁ ଖାଉଟି ଅଦାଲତର କହିବା ଅନୁଯାୟୀ ଗ୍ରାହକଙ୍କୁ ପେପର୍ ବ୍ୟାଗ୍ ପାଇଁ ବାଧ୍ୟ କରିବା ଅର୍ଥ ସିଧାସଳଖ ସେବାରେ ତ୍ରୁଟି ସହ ସମାନ । ଜିନିଷ କିଣୁଥିବା ବ୍ୟକ୍ତିଙ୍କୁ ମାଗଣା କ୍ୟାରି ଦେବା ଷ୍ଟୋରର କର୍ତ୍ତବ୍ୟ ।

ତେଣୁ ଅଦାଲତ ‘ବାଟା’କୁ ନିର୍ଦେଶ ଦେଇଛନ୍ତି ବ୍ୟାଗ୍ ବାବଦରେ ନେଇଥିବା ୩ ଟଙ୍କା ଫେରସ୍ତ କରିବା ସହ ଅଦାଲତ ଖର୍ଚ୍ଚ ବାବଦରେ ୧୦୦୦ ଟଙ୍କା ଦେବ । ଏହାଛଡ଼ା ସେବାରେ ତ୍ରୁଟି କରି ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ୩୦୦୦ ଟଙ୍କା କ୍ଷତିପୂରଣ ଦେବା ଏବଂ ‘ଷ୍ଟେଟ୍ କଞ୍ଜ୍ୟୁମର୍ ଡିସ୍ପ୍ୟୁଟ୍ ରିଡ୍ରେସାଲ୍ କମିସନ୍’ଙ୍କ ଆକାଉଣ୍ଟ୍ରେ ୫୦୦୦ ଟଙ୍କା ଜମା କରିବ ।
ଅନ୍ୟପଟେ ଏହି ନିଷ୍ପତ୍ତି ପରେ କ୍ୟାରି ବ୍ୟାଗ୍ ଟଙ୍କା ଆଦାୟ କରିବା ବନ୍ଦ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.