ଚୀନ୍‌କୁ ପୁଣି ଲେଉଟିଲା କରୋନା, ସବୁଠୁ ବଡ଼ ସି-ଫୁଡ୍‌ ମାର୍କେଟ ବନ୍ଦ କରିବାକୁ ନିର୍ଦ୍ଦେଶ

ଚୀନ୍‌କୁ ପୁଣିଥରେ ଲେଉଟିଛି କରୋନା। ଦୀର୍ଘଦିନ ଧରି ଚୀନ୍‌ରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି। ସଂକ୍ରମଣ ରୋକିବାକୁ ଏବେ ଚୀନ୍‌ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଚୀନ୍‌ର ବେଜିଂ ସ୍ଥିତ ଖାଦ୍ୟପଦାର୍ଥର ସବୁଠୁ ବଡ଼ ମାର୍କେଟ ‘ସିନ୍‌ଫାଦି’କୁ ବନ୍ଦ କରି ଦିଆଯାଇଛି। କୁହାଯାଉଛି ଯେ ଏହି ମାର୍କେଟରୁ ହିଁ କରୋନା ଭାଇରସ୍‌ ସାରା ବିଶ୍ୱକୁ ବ୍ୟାପିଛି। ଚୀନ୍‌ର କମ୍ୟୁନିଷ୍ଟ ସରକାର ସଂକ୍ରମଣ ରୋକିବାକୁ କୋଲ୍ଡ-ଚେନ୍‌ ଓ ଆକ୍ୱାଟିକ୍‌ ଉତ୍ପାଦର ବିକ୍ରି ଓ ଷ୍ଟକ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି।

ଚୀନ୍‌ରେ ଫ୍ରୋଜେନ୍‌ ଫୁଡ୍‌ ପ୍ରଡକ୍ଟର ଟେଷ୍ଟିଂକୁ ମଧ୍ୟ ବଢ଼ାଇ ଦିଆଯାଇଛି। ରିପୋର୍ଟ ମୁତାବକ ଚୀନ୍‌ ବାରମ୍ବାର ଦାବି କରି ଆସୁଛି ଯେ ଆମଦାନୀ ହେଉଥିବା ଉତ୍ପାଦ ଓ ତାହାର ପ୍ୟାକେଜିଂ ଉପରେ ଅନେକ ଥର କରୋନା ଭାଇରସ୍‌ ମିଳିଛି। ବାରମ୍ବାର ଏଭଳି ମାମଲା ସାମ୍ନାକୁ ଆସିବା ପରେ ସିନ୍‌ଫାଦି ମାର୍କେଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସଂକ୍ରମଣ ବଢ଼ୁଥିବାରୁ ସିନ୍‌ଫାଦି ମାର୍କେଟକୁ ପ୍ରଶାସନ ତରଫରୁ ସାନିଟାଇଜ୍‌ ମଧ୍ୟ କରାଯାଇଛି। ଏଥିସହ ସମସ୍ତ ଉତ୍ପାଦକୁ ନଷ୍ଟ କରି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏବେ ସଂକ୍ରମିତଙ୍କ ସଂଖ୍ୟା ଖୁବ୍‌ କମ୍‌ ଅଛି। ତଥାପି ଆମେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛୁ। ଦେଶରେ ଯେପରି ଆଉଥରେ ପୂର୍ବଭଳି ଅଭାବନୀୟ ସ୍ଥିତି ସୃଷ୍ଟି ନ ହୁଏ, ତାହା ଉପରେ କଡ଼ା ନଜର ରଖାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.