ବାଧ୍ୟ ହୋଇ ନିଜେ ତିଆରି କରିଥିବା କମ୍ପାନୀ Bharat Pe ର ବୋର୍ଡ ପଦରୁ ଇସ୍ତଫା ଦେଲେ ଅଶନୀର ଗ୍ରୋଭର

ଫିନଟେକ୍ ୟୁନିକର୍ଣ୍ଣ ଭାରତ ପେ ର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭର କମ୍ପାନୀ ବୋର୍ଡ ପଦରୁ ଇସ୍ତଫା ଦେଇଛନ୍ତି । ପତ୍ନୀ ମାଧୁରୀ ଜୈନଙ୍କୁ ‘ଭାରତପେ’ ବହିଷ୍କାର କରିବାର କିଛି ଦିନ ପରେ ଅଶନୀର ଗ୍ରୋଭର ଏହି ପଦକ୍ଷେପ ନେଇଛନ୍ତି। ଅଶନୀର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ଗଭୀର ଭାବେ ଦୁଃଖିତ ଯେ, ମୁଁ ଯେଉଁ କମ୍ପାନୀର ପ୍ରତିଷ୍ଠାତା ସେହି କମ୍ପାନୀରୁ ଆଜି ବାଧ୍ୟ ହୋଇ ବିଦାୟ ନେଉଛି। ପୂର୍ବରୁ ମୁଁ ଗର୍ବର ସହ କହିଛି ଓ ଆଜି ବି କହୁଛି ଯେ, ମୋ କମ୍ପାନୀ ଫିନଟେକ୍ ଦୁନିଆର ଲିଡର।
ଗ୍ରୋଭର କହିଛନ୍ତି, ୨୦୨୨ ଆରମ୍ଭରୁ କିଛି ଲୋକ ମୋ ବିଷୟରେ ଏବଂ ମୋ ପରିବାର ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ଯେଉଁମାନେ ଏହି ଆରୋପ ମୋ ଉପରେ ଲଗାଉଛନ୍ତି, ସେମାନେ କେବଳ ମୋର ଏବଂ ମୋର ପ୍ରତିଷ୍ଠା ନୁହେଁ, କମ୍ପାନୀର ପ୍ରତିଷ୍ଠା ପାଇଁ ମଧ୍ୟ କ୍ଷତି କରିବାକୁ ପ୍ରସ୍ତୁତ ରହିଛନ୍ତି । ସେ କେବେ ଭାରତୀୟ ଉଦ୍ୟୋଗ ଶିଳ୍ପୀ ଜଣାଶୁଣା ଚେହେରା ଥିଲେ କିନ୍ତୁ ଆଜି ତାଙ୍କୁ ନିବେଶକ ଏବଂ ମ୍ୟାନେଜମେଣ୍ଟ ବିରୁଦ୍ଧରେ ଏକାକୀ ଲଢିବାକୁ ପଡିଛି।
ଗ୍ରୋଭର କମ୍ପାନୀର କାର୍ଯ୍ୟ ସମୀକ୍ଷା କରିବା ପାଇଁ ସିଙ୍ଗାପୁର ଅର୍ନ୍ତଜାତୀୟ ଆର୍ବିଟ୍ରେସନ ସେଣ୍ଟରକୁ ଅପିଲ କରିଥିଲେ। କିନ୍ତୁ ଗତ ସପ୍ତାହରେ ଏହାକୁ ଖାରିଜ କରିଦିଆଯାଇଥିଲା। ଗ୍ରୋଭର ନିଜ ଇସ୍ତଫାରେ କମ୍ପାନୀର ନିବେଶକ ଏବଂ ବୋର୍ଡ ଫାଉଣ୍ଡର୍ସଙ୍କ ସହିତ ଗୁଲାମ ଭଳି ବ୍ୟବହାର କରୁଛି ବୋଲି କହିଛନ୍ତି।
ନିକଟରେ ଭାରତ ପେ ଅଶନୀର ଗ୍ରୋଭରଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭରୁ ଅନିୟମିତତା ଆରୋପରେ ବରଖାସ୍ତ କରିଥିଲା। ଆଉ ତାଙ୍କ ପାଖରୁ ESOP କୁ ମଧ୍ୟ ରଦ୍ଦ କରିଥିଲା। ଅଶନୀରଙ୍କ ପତ୍ନୀ ପର୍ସନାଲ ବୁୟୁଟି ଟ୍ରିଟମେଣ୍ଟ, ଇଲେକ୍ଟ୍ରୋନିକ ଜିନିଷ କିଣିବା ପାଇଁ ଆମେରିକା ଏବଂ ଦୁବାଇର ପାରିବାରିକ ଯାତ୍ରା ପାଇଁ କମ୍ପାନୀର ପଇସା ବ୍ୟବହାର କରୁଥିବା ଆରୋପ ଲାଗିଥିଲା। ଏହାଛଡା ମାଧୁରୀ ନିଜ ଷ୍ଟାଫକୁ କମ୍ପାନୀ ଖାତାରୁ ଦରମା ଏବଂ ପରିଚିତ ଲୋକଙ୍କୁ ନକଲି ରସିଦ କରି ଦେଉଥିବା ଅଭିଯୋଗ ହୋଇଥିଲା।
ଅଶନୀର ଏବେ ସୋନୀ ଟିଭିରେ ପ୍ରସାରିତ ସାର୍କ ଟ୍ୟାଙ୍କରେ ଜଜ୍ ଭାବେ ନଜର ଆସୁଛନ୍ତି। ଏମାନଙ୍କ ସହିତ ବୋଟର ପ୍ରତିଷ୍ଠାତା ଅମନ ଗୁପ୍ତା, ଲେନ୍ସକାର୍ଟର ପ୍ରତିଷ୍ଠାତା ପୀୟୁଶ ବନସଲ, ବିନିତା ସିଂ, ଅନୁପମ ମିତ୍ତଲ ପ୍ରମୁଖ ନଜର ଆସୁଛନ୍ତି। ଏହି ଶୋରେ ଯୁବ ଉଦ୍ୟୋଗୀଙ୍କୁ ସେମାନଙ୍କ ଉଦ୍ୟୋଗ ପାଇଁ ଇନଭେଷ୍ଟମେଣ୍ଟ ମିଳୁଛି।