ପୁଣିଥରେ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଯୁଦ୍ଧାସ୍ତ୍ର ଯୋଗାଇବାକୁ ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ରୁଷ୍‌-ଚୀନ୍‌ କଥାବାର୍ତ୍ତା ପରେ ଆମେରିକା ସହ ଆଲୋଚନା କରିଛି ୟୁକ୍ରେନ୍‌। ଟେଲିଫୋନ୍‌ରେ ଜିନ୍‌ପିଙ୍ଗ ଓ ପୁଟିନ୍‌ କଥାବାର୍ତ୍ତା ହେବା ପରେ ଜେଲେନ୍‌ସ୍କିଙ୍କୁ ଫୋନ୍‌ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏ ଅବସରରେ ସେ ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ କଥା ହୋଇଛନ୍ତି।

ପୁଟିନ୍‌-ଜିନ୍‌ପିଙ୍ଗ ଆଲୋଚନା ପରେ ଜେଲେନ୍‌ସ୍କିଙ୍କ ସହ କଥା ହେବାକୁ ବିଳମ୍ବ କରିନଥିଲେ ବାଇଡେନ୍‌। ଆଜି ସକାଳୁ ସକାଳୁ ଜେଲେନ୍‌ସ୍କିଙ୍କୁ ଫୋନ୍‌ କରିଥିଲେ ଆମେରିକା ରାଷ୍ଟ୍ରପତି। ଏ ଅବସରରେ ସେ ଯୁଦ୍ଧରେ ପେଣ୍ଟାଗନ୍‌ ସହଯୋଗର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏଥିସହ ୟୁକ୍ରେନ୍‌କୁ ଅତିରିକ୍ତ ସାମରିକ ପ୍ୟାକେଜ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ଏନେଇ ଗତକାଲି ନିଜେ ଘୋଷଣା କରିଥିଲେ ବାଇଡେନ୍‌।

ଏହି ପ୍ୟାକେଜ୍‌ରେ ୭,୫୦୦ କୋଟିର ସହାୟତା କରିବ ଆମେରିକା। ନୂଆ ପ୍ୟାକେଜ୍‌ରେ ହାରପୁନ୍‌ ଆଣ୍ଟିସିପ୍‌ ମିସାଇଲ ସିଷ୍ଟମ୍‌, HIMARS ରକେଟ୍‌ ସିଷ୍ଟମ୍‌ ଓ M777 ହୋଇଜର ସମେତ ଆହୁରି ଅନେକ ଯୁଦ୍ଧାସ୍ତ୍ର ରହିଛି। ଏଥିରେ ୧୮ଟି ୧୫୫ MM ହୋଇଜର, ୩୬ ହଜାର ରାଉଣ୍ଡ ୧୫୫ MM ଗୁଳିଗୋଳା, ୨ଟି ହାର୍ପୁନ୍‌ କୋଷ୍ଟାଲ ଡିଫେନ୍‌ସ୍‌ ସିଷ୍ଟମ୍‌, ହଜାର ହଜାର ସଂଖ୍ୟାରେ ନାଇଟ୍‌ ଭିଜନ୍‌ ଡିଭାଇସ୍‌, ଥର୍ମାଲ ସାଇଟ୍‌ ଓ ଅନ୍ୟାନ୍ୟ ଅପ୍ଟିକ୍‌ସ ଆଦି ରହିଛି।

ଏହା ବ୍ୟତୀତ ଯୁଦ୍ଧ କ୍ଷେତ୍ରରେ ସହାୟତା ପାଇଁ ବିଭିନ୍ନ ପ୍ରକାର ସାମରିକ ଯାନ ମଧ୍ୟ ଆମେରିକା ୟୁକ୍ରେନ୍‌କୁ ଯୋଗାଇବ। ତେବେ ହାର୍‌ପୁନ୍‌ ମିସାଇଲ ସିଷ୍ଟମ୍‌, HIMARS ରକେଟ୍‌ ସିଷ୍ଟମ୍‌ ଓ M777 ହୋଇଜର ଯୁଦ୍ଧରେ ଗେମ୍‌ ଚେଞ୍ଚର ହେବ ବୋଲି ଚର୍ଚ୍ଚା ହେଉଛି। ଆମେରିକାଦତ୍ତ ଯୁଦ୍ଧାସ୍ତ୍ରରେ ପୁଟିନ୍‌ ସେନାର ମୁକାବିଲା କରିବ ୟୁକ୍ରେନ୍‌।

Also Read: ଅଗ୍ନିପଥ ସ୍କିମ୍‌କୁ ତୀବ୍ର ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଟ୍ରେନ୍‌ରେ ଲଗାଇଲେ ନିଆଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.