ରାଷ୍ଟ୍ରପତି ନିର୍ବାଚନ ନେଇ ମମତାଙ୍କ ମେଳିକୁ ଗଲାନି ବିଜେଡି, ଜାତୀୟ ରାଜନୀତିର ନଜର ଏବେ ବିଜେଡି ସୁପ୍ରିମୋଙ୍କ ଉପରେ

କେନ୍ୟୁଜ୍(ବ୍ୟୁରୋ):  ପୁଣିଥରେ ଦେଖିବାକୁ ମିଳିବ କି ନବୀନଙ୍କ ଚକମା ? ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜେଡିର ଆଭିମୁଖ୍ୟ? କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଟେଲିଫୋନରେ ନବୀନଙ୍କ ସହ ଆଲୋଚନା କରିବା ପରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଆଭିମୁଖ୍ୟ ଉପରେ ନଜର ରହିଛି। ୨୦୧୨ରେ ନବୀନ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପି.ଏ. ସାଙ୍ଗମାଙ୍କ ନାଁ ଘୋଷଣା କରି ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । ନବୀନଙ୍କ ପ୍ରାର୍ଥୀ ପି.ଏ.ସାଙ୍ଗମାଙ୍କୁ ସମର୍ଥନ ଦେଇଥିଲା ବିଜେପି। କିନ୍ତୁ ସେତେବେଳେ ମମତାଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ସାଙ୍ଗମାଙ୍କୁ ସମର୍ଥନ କରିନଥିଲେ । ଏବେ ସହମତି ଭିତ୍ତିରେ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ପାଇଁ ବିଜେପି ଉଦ୍ୟମ କରୁଛି। ଏଭଳିସ୍ଥିତିରେ ପୁଣିଥରେ ନବୀନଙ୍କର ମାଷ୍ଟର ଷ୍ଟ୍ରୋକ ଦେଖିବାକୁ ମିଳିବ ନାହିଁ ତ ? ବିଜେଡି କହିଛି, ସମର୍ଥନ ନେଇ ପ୍ରାର୍ଥୀ ଦେଖି ନିଷ୍ପତ୍ତି ନେବେ ସୁପ୍ରିମୋ ।

ସବୁବେଳେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଛି ବିଜେଡି। ଜାତୀୟ ସ୍ତରର ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କର ରହିଛି ସୁ ସମ୍ପର୍କ। ସମଦୂରତା ନୀତିରେ ବିଜେଡି କାଏମ । ତେଣୁ ଗତକାଲି ଦିଲ୍ଲୀରେ ମମତାଙ୍କ ମେଳିରେ ବିଜେଡି ସାମିଲ ହେଲା ନାହିଁ ବୋଲି କୁହାଯାଉଛି। ୨୦୦୯ରେ ବାମଦଳ, ଏନସିପି ଓ ବିଜେଡି ମିଶି ଜାତୀୟ ରାଜନୀତିରେ ନୂଆ ସମୀକରଣ ପାଇଁ ଉଦ୍ୟମ କରିଥିଲେ । ଭୁବନେଶ୍ୱରରେ ବିରାଟ ରାଲି ହୋଇଥିଲା । ସେତେବେଳେ ଏନସିପି ସୁପ୍ରିମୋ ଶରଦ ପାୱାର ଏ ରାଲିରୁ ଦୂରେଇ ରହିଥିଲେ । ଏହାକୁ ନେଇ ଜାତୀୟ ରାଜନୀତିରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ମମତାଙ୍କ ବୈଠକରୁ ବିଜେଡି ଦୂରେଇ ରହିବା ପରେ ରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ ଦେବେ ତାକୁ ନେଇ ଚର୍ଚ୍ଚା । ଜାତୀୟ ରାଜନୀତିରେ ଦିନକୁଦିନ ନବୀନଙ୍କର ପ୍ରଭାବ ଓ ପତିଆରା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚାଲିଥିବା ସମୀକରଣରୁ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.