Below header

ଡିଭାଇଡର୍‌ରେ ପିଟି ହୋଇ ଚୁର୍‌ମାର ହେଲା ପୋଲିସ ଗାଡ଼ି, ଅଭିଯୁକ୍ତକୁ ଧରି ଯାଉଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା; ୪ ପୋଲିସ କର୍ମଚାରୀ ଓ ଅଭିଯୁକ୍ତଙ୍କ ମୃତ୍ୟୁ

ରାଜସ୍ଥାନର ଜୟପୁର ଜିଲ୍ଲା କୋଟପୁତଲି ଅଞ୍ଚଳରେ ସୋମବାର ମଧ୍ୟରାତ୍ରିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାକାର ଭାବରୁ ଥାନା ଅଞ୍ଚଳରେ ଏକ ଫର୍‌ଚ୍ୟୁନର କାର୍ ଡିଭାଇଡରରେ ଲାଗିଥିବା ଗଛ ସହିତ ଜୋର୍‌ରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ପୋଲିସ କର୍ମଚାରୀ ଏବଂ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେମାନେ ଦିଲ୍ଲୀରୁ ଗୁଜରାଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପ୍ରାଣ ହରାଇଥିବା ସମସ୍ତ ପୋଲିସ କର୍ମଚାରୀ ଗୁଜରାଟ ପୋଲିସର ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁର୍‌ମାର ହୋଇ ଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସିଏମ୍ ଅଶୋକ ଗେହଲଟ୍ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରେ ଘଟିଛି। ସେହି ସମୟରେ ଗୁଜରାଟ ପୋଲିସର ୪ ପୋଲିସ କର୍ମଚାରୀ ଦିଲ୍ଲୀରୁ ଜଣେ ଅଭିଯୁକ୍ତଙ୍କୁ ଧରି କାର ଯୋଗେ ଗୁଜରାଟ ଫେରୁଥିଲେ। ଏହି ସମୟରେ ତାଙ୍କ କାର ହଠାତ୍ ନିୟନ୍ତ୍ରଣ ହରାଇ ଡିଭାଇଡର ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାରରେ ଥିବା ୪ ପୋଲିସ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ପାଇ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ସମସ୍ତ ମୃତଦେହକୁ ଜବତ କରି ସ୍ଥାନୀୟ ସରକାରୀ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖିଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଅନୁମାନ କରାଯାଉଛି କି, ଡ୍ରାଇଭର ଢୋଳେଇ ପଡ଼ିବାରୁ ହୁଏତ ଏହି ଦୁର୍ଘଟଣା ଘଟି ଥାଇପାରେ। ଏ ନେଇ ଭାବରୁ ପୋଲିସ ଗୁଜରାଟ ପୋଲିସକୁ ସୂଚନା ଦେଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତରେ ଲାଗି ପଡ଼ିଛି।

ସିଏମ୍ ଅଶୋକ ଗେହଲଟ୍ ଟ୍ଵିଟ୍‌ କରିଛନ୍ତି

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସିଏମ୍ ଅଶୋକ ଗେହଲଟ୍ ଟ୍ୱିଟ୍ କରିଛନ୍ତି। ଟ୍ଵିଟ୍‌ରେ ସେ କହିଛନ୍ତି, ‘ଦିଲ୍ଲୀରୁ ଅଭିଯୁକ୍ତଙ୍କୁ ଧରି ଗୁଜରାଟ ନେଇ ଯାଉଥିବା ପୋଲିସ ଗାଡି ଜୟପୁରର ଭାବରୁ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକାକୁଳ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା। ଭଗବାନ ସେମାନଙ୍କୁ ସମ୍ବଳ ଦିଅନ୍ତୁ ଏବଂ ଦିବଂଗତଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.