Below header

ପୂର୍ବ ରୁଷ୍‌ରେ ୫ ମହଲା ଆପାର୍ଟମେଣ୍ଟରେ ସିଲିଣ୍ଡର ବିସ୍ଫୋରଣ! ୪ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ପୂର୍ବ ରୁଷ୍‌ର ସଖାଲିନ୍‌ ଦ୍ୱୀପରେ ଥିବା ତିମୋଭସ୍କୋଇରେ ଏକ ୫ ମହଲା ବିଶିଷ୍ଟ ଆବାସୀୟ ବିଲ୍ଡିଂରେ ଜୋର୍‌ଦାର ଧମାକା ହୋଇଛି। ରୁଷୀୟ ସମାଚାର ଏଜେନ୍ସି ମୁତାବକ, ଏହି ବିସ୍ଫୋରଣ ସକାଳ ପ୍ରାୟ ୫ଟା ୩ ମିନିଟ୍‌ରେ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ଯେ ଏହା ଏକ ସିଲିଣ୍ଡର ବିସ୍ଫୋରଣ। ଏହି ସିଲିଣ୍ଡର ରନ୍ଧନ ଗ୍ୟାସ ଚୁଲ୍ଲା ସହ ସଂଯୋଗ ଥିଲା ଏବଂ ତାହା ୨୦ ଲିଟରର ଗ୍ୟାସ୍‌ ସିଲିଣ୍ଡର ଥିଲା। ସେପଟେ ରୁଷୀୟ ଯାଞ୍ଚ ସମିତି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି।

ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ପୂର୍ବ ରୁଷ୍‌ର ସିଖାଲିନ ଦ୍ୱୀପରେ ଶନିବାର ଏହି ବିସ୍ଫୋରଣ ହୋଇଥିଲା। ଆପାର୍ଟମେଣ୍ଟରେ ହୋଇଥିବା ବିସ୍ଫୋରଣରେ ୪ ପିଲାଙ୍କ ସମେତ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ପ୍ରଶାସନିକ ଅଧିକାରୀମାନଙ୍କ କହିବା ହେଲା, ମସ୍କୋ ସମୟ ଅନୁସାରେ ସକାଳ ପ୍ରାୟ ୫ଟା ୩ ମିନିଟ୍‌ରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା। ଗ୍ୟାସ୍‌ ସିଲିଣ୍ଡର ଫାଟିବା ଦ୍ୱାରା ତିମୋଭସ୍କୋଇ ସହରରେ ଥିବା ଏକ ୫ ମହଲା ବିଲ୍ଡିଂର ଗୋଟିଏ ପାର୍ଶ୍ୱ ଧସି ଯାଇଛି।

ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ, ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛି। ଅଧିକାରୀମାନଙ୍କ କହିବା ହେଲା, ବିଲ୍ଡିଂରେ ରହୁଥିବା ୩୩ ଲୋକଙ୍କ ମଧ୍ୟରୁ କିଛି ଜଣଙ୍କର ପତ୍ତା ମିଳୁନାହିଁ। ସଖାଲିନ୍‌ ଜାପାନର ଉତ୍ତରରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ।

ବିସ୍ଫୋରଣରେ ପ୍ରଭାବିତ ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟ ଦେବା କଥା କୁହାଯାଇଛି। ଏଥି ସହିତ ଯେଉଁ ପରିବାରର ଘର ବିସ୍ଫୋରଣରେ ଧସି ଯାଇଛି, ସେମାନଙ୍କୁ ୫୦୦,୦୦୦ ରୁବଲ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଅଧିକାରୀମାନଙ୍କ କହିବା ହେଲା, ମୃତ ଲୋକଙ୍କ ପରିବାର ସଦସ୍ୟମାନଙ୍କୁ ୧୦ ଲକ୍ଷ ରୁବଲ (୧୬,୪୩୪ ଡଲାର) ଅନୁକମ୍ପା ରାଶି ଯୋଗାଇ ଦିଆଯିବ।

କହି ରଖୁଛୁ, ଏହା ପୂର୍ବରୁ ରୁଷ୍‌ର କୋସ୍ନୋମା ସହରରେ ଏକ କାଫେରେ ନିଅାଁ ଲାଗିଯିବା ଦ୍ୱାରା ପାଖାପାଖି ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅଧିକାରୀମାନେ କହିଥିଲେ କି, କାଫେରେ ସକାଳ ସମୟରେ କୌଣସି ବିବାଦ ଦେଖାଦେବାରୁ କେହି ଜଣେ ଫାୟାର ଗନ୍‌ ବ୍ୟବହାର କରିଥିଲେ, ଯାହାପରେ ସେଠାରେ ନିଅାଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ କାଫେ ଭିତରୁ ୨୫୦ ଲୋକଙ୍କୁ ଉଦ୍ଧାର କରିଥିଲା। ନିଅାଁ ଲାଗିବା ଦ୍ୱାରା କାଫେର ଛାତ ଭୁଶୁଡ଼ି ପଡ଼ିଥିଲା, ଯାହାପରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.