ଧୋକେବାଜ୍ ପ୍ରିୟା: ମା’ ପାଇଁ ପ୍ରେମିକର କିଡ୍ନୀ ନେଲା ପରେ ଧୋକା ଦେଇ ଅନ୍ୟଜଣଙ୍କୁ ବିବାହ କଲା ପ୍ରେମିକା

ବର୍ତ୍ତମାନ ଧୋକା ଦେବା ଯେମିତି ଏକ ଟ୍ରେଣ୍ଡ୍ ପାଲଟିଛି। କିଛି ଦିନ ପ୍ରେମ କରିବା ପରେ ପ୍ରାୟତଃ ଯୋଡ଼ି ପରସ୍ପର ଠାରୁ ଅଲଗା ହେଉଥିବା ଦେଖାଯାଇଛି। କିନ୍ତୁ ଏବେ ଧୋକାର ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହା ପଢ଼ିଲେ ଆପଣଙ୍କର ପ୍ରେମ ଉପରୁ ବିଶ୍ୱାସ ଉଠିଯିବ। କାର୍ଲିଫର୍ଣ୍ଣିଆର ଜଣେ ପ୍ରେମିକା ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ବୟଫ୍ରେଣ୍ଡର କିଡ୍ନୀ ନେଇଥିବା ବେଳେ ପରେ ତାକୁ ଧୋକା ଦେଇ ଆଉ ଜଣକୁ ବାହା ହୋଇ ପଡ଼ିଥିବା ଜଣାଯାଇଛି। ପ୍ରେମିକକୁ ମିଛ ପ୍ରେମ ଜାଲରେ ଫସାଇ ପ୍ରେମିକା ଏମିତି କାଣ୍ଡ କରିଛି।
କାର୍ଲିଫର୍ଣ୍ଣିଆର ଜଣେ ଯୁବକ ନିଜ ପ୍ରେମିକା ପ୍ରେମରେ ଏମିତି ପାଗଳ ଥିଲା ଯେ ସେ ତା’ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲା। ଏମିତି କି ନିଜ ଜୀବନ ବି ଦେବାକୁ ସେ ତୟାର ଥିଲା। ସେ ଯେକୌଣସି ସ୍ଥିତିରେ ନିଜ ପ୍ରେମିକାକୁ ପାଇବାକୁ ଚାହୁଁଥିଲା। ଯୁବକ ଜଣକ ଝିଅର ମା’କୁ ବଞ୍ଚାଇବା ପାଇଁ ନିଜ କିଡନୀ ବି ଦାନ କରିଦେଲା। କିନ୍ତୁ ଝିଅଟି ଏତେ ଧୋକେବାଜ୍ ଥିଲା ଯେ ମଉକା ଦେଖି ଆଉ ଜଣଙ୍କୁ ବିବାହ କରିନେଇଛି।
ରିପୋର୍ଟ ମୁତାବକ, ଯୁବକଙ୍କ ନାଁ ଉଜିଏଲ ମାର୍ଟିନେଜ୍। ସେ ସୋସିଆଲ ମିଡିଆରେ ନିଜ କାହାଣୀ ସେୟାର କରି କହିଛନ୍ତି ଯେ ତାଙ୍କ ଗାର୍ଲଫ୍ରେଣ୍ଡ ନିଜ ମା’ଙ୍କ ପାଇଁ ତାଙ୍କ କିଡନୀ ନେବା ପରେ ବି ତାଙ୍କୁ ଧୋକା ଦେଇ ଆଉ ଜଣକୁ ବିବାହ କରି ନେଇଛି। ଯୁବକ ଜଣକ ନିଜର ଏହି କାହାଣୀକୁ ଟିକ୍ଟକ୍ରେ ଭିଡିଓ କରି ସେୟାର କରିଛନ୍ତି।
ଏହି ଭିଡିଓକୁ ଇତି ମଧ୍ୟରେ ୧୫ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ବିଭିନ୍ନ କମେଣ୍ଟ କରୁଛନ୍ତି। ବ୍ୟକ୍ତି ଜଣଙ୍କର ଅବସ୍ଥା ଦେଖି ଲୋକେ ଦୁଃଖ ପ୍ରକାଶ କରୁଥିବା ଦେଖାଯାଇଛି। ଆଉ କିଛି ଲୋକ କହିଛନ୍ତି ଯେ କିଡନୀ ଦାନ କରି ସେ ଜଣକ ଜୀବନ ବଞ୍ଚାଇଛନ୍ତି, ଯାହା ଏକ ପୁଣ୍ୟ କାମ। ଏଣୁ ସେ ଦୁଃଖୀ ହେବା ଉଚିତ୍ ନୁହେଁ ବୋଲି କହୁଥିବା ଦେଖାଯାଇଛି।