Below header

ଦିନକ ପରେ ବଜେଟ୍‌, ମୋଦି ସରକାରଙ୍କ ଶେଷ ବଜେଟକୁ ଦେଶବାସୀଙ୍କ ଅପେକ୍ଷା

ଦିନକ ପରେ ବଜେଟ୍‌ । ସଂସଦରେ ମୋଦି ସରକାର ଆଣିବେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌। ସରକାର ଦେଶବାସୀଙ୍କୁ କଣ ଭେଟି ଦେବେ ? ଅର୍ଥମନ୍ତ୍ରୀଙ୍କ କୁହୁକ ପେଡ଼ିରେ ଟିକସଦାତାଙ୍କୁ ରିହାତି ମିଳିବ କି ?  ଆଶା କରାଯାଉଛି, ଏଥର ମଧ୍ୟବିତ୍ତଙ୍କ ପାଇଁ ଖାସ୍‌ ଘୋଷଣା କରି ପାରନ୍ତି ଅର୍ଥମନ୍ତ୍ରୀ। ଅଧିକାଂଶ ଚାହୁଁଛନ୍ତି ଆୟକର ଛାଡ଼ ସୀମାରେ ବୃଦ୍ଧି କରାଯାଉ। ୨୦୧୪ ବଜେଟରେ ଆୟକର ସୀମାକୁ ୨ ଲକ୍ଷରୁ ଅଢ଼େଇ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ଚଳିତ ବଜେଟରେ ଏହାକୁ ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ କରିବାକୁ ଦାବି ହେଉଛି। ୨୦୧୭ ବଜେଟରେ କେବଳ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆୟ ଉପରେ ଟିକସ ହାର ହ୍ରାସ କରାଯାଇଥିଲା। ୧୦ ପ୍ରତିଶତରୁ କମାଇ ୫ ପ୍ରତିଶତ କରିଥିଲେ କେନ୍ଦ୍ର ସରକାର। ୫ ଲକ୍ଷରୁ ୧୦ ଲକ୍ଷ ଭିତରେ ଆୟକରକୁ ୨୦ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଥିଲା। ଏହି ସ୍ଲାବରେ ସରକାର କିଛି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ଆୟକର ନିୟମ ୮୦(ଉ) ଅନୁଯାୟୀ ଦିଆଯାଉଥିବା ଦେଢ଼ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଛାଡ଼କୁ ଅଢ଼େଇ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବୃଦ୍ଧି ହୋଇପାରେ। ଏହାଦ୍ୱାରା ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ମିଳିପାରେ।

ସେହିପରି ଚାଷୀ ଓ ଗରିବଙ୍କ ପାଇଁ ବି ବଜେଟରେ ଆଖି ଦୃଶିଆ ପ୍ରବଧାନ ରହିପାରେ। ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଛନ୍ତି ୨୦୧୯ରେ କଂଗ୍ରେସ ସରକାରକୁ ଫେରିଲେ ଗରିବଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଦେବ। ଏହାକୁ କାଉଣ୍ଟର କରିବା ପାଇଁ ମୋଦି ସରକାର ବଜେଟରେ କିଛି ଘୋଷଣା କରି ପାରନ୍ତି। ୟୁନିଭର୍ସାଲ୍‌ ବେସିକ ଇନକମ୍‌ ନେଇ ହୋଇପାରେ ଘୋଷଣା। ସେହିପରି ନିର୍ବାଚନୀ ବର୍ଷରେ ଫୋକସରେ ଅଛନ୍ତି ଚାଷୀ। ସେମାନଙ୍କ ବିକାଶ ଓ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବା ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା କରିବା ସମ୍ଭାବନା ବି ରହିଛି। ଶିଳ୍ପ ଜଗତ ବି ଆଶା ରଖିଛି, କର୍ପୋରେଟ ଟିକସରେ ରିହାତି, ଜିଏସଟି ସ୍ଲାବରେ ପରିବର୍ତ୍ତନ, ଏମଏସଏମଇ ଓ ଷ୍ଟାର୍ଟ ଅପ୍‌କୁ ବି ବଜେଟରେ ପ୍ରୋତ୍ସାହନ ମିଳିପାରେ। ଏହା ବ୍ୟତୀତ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ଦୃଷ୍ଟିର ରଖି ଚଳିତ ବଜେଟରେ ଠୋସ୍‌ କିଛି ପଦକ୍ଷେପ ଘୋଷଣା କରି ପାରନ୍ତି ସରକାର।

ଚଳିତ କାମଚଳା ବଜେଟରେ ସରକାର ନ୍ୟାସନାଲ୍‌ ପେନସନ୍‌ ସ୍କିମ୍‌ ବା ଏନପିଏସରେ ମଧ୍ୟ କିଛି ସଂଶୋଧନ ଆଣି ପାରନ୍ତି। ବର୍ତ୍ତମାନ ୫ବର୍ଷରୁ ଅଧିକ ଦିନ ଏନପିଏସ୍‌ ଆକାଉଣ୍ଟରୁ ଉଠାଣ ଉପରେ ଟିକସ ନେଉଛନ୍ତି ସରକାର। ଯାହାକୁ ଚଳିତ ବଜେଟରେ ଟିକସ ଫ୍ରି କରାଯାଇପାରେ। ଅନ୍ୟପଟେ ଇପିଏଫଓରେ ୫ ବର୍ଷରୁ ଅଧିକ ଜମା ଟଙ୍କା ଉଠାଣ ଉପରେ କୌଣସି ଟିକସ ବ୍ୟବସ୍ଥା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.