ଦୀପାବଳି ପାଇଁ ବସ୍‌ ଭିତରେ ଜଳା ଯାଇଥିଲା ମହମବତୀ; ନିଆଁ ଲାଗି ଯିବାରୁ ଗାଡ଼ି ସହ ଡ୍ରାଇଭର ଓ ହେଲ୍‌ପର ଜୀବନ୍ତ ଦଗ୍ଧ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଦୀପାବଳି ଦିନ ଏକ ବସ୍‌ରେ ନିଆଁ ଲାଗି ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି କି, ଏହି ଘଟଣା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ ଟର୍ମିନାଲ୍ ମଧ୍ୟରୁ ଅନ୍ୟତମ ଲୋୟର ବଜାର ପୋଲିସ୍ ଷ୍ଟେସନ ଅଞ୍ଚଳ ଖଡଗଡ଼ାରେ ଘଟିଛି। ସେ କହିଛନ୍ତି ଯେ ବସ୍‌ରେ ମଧ୍ୟରାତ୍ରି ପାଖାପାଖି ନିଆଁ ଲାଗି ଯାଇଥିଲା, ଯାହାଫଳରେ ବସ୍‌ରେ ଥିବା ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ ଘଟିଥିଲା। ସେମାନେ ନିଆଁରେ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲେ। କୁହାଯାଉଛି କି, ମଦ ନିଶା ଯୋଗୁ ଦୁହେଁ ନିଜକୁ ରକ୍ଷା କରିପାରି ନ ଥିଲେ।

ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଯାଞ୍ଚ କରାଯାଉଛି। କିନ୍ତୁ ଜଣାପଡ଼ିଛି କି, ବସ୍ ଭିତରେ ମହମବତୀ ଜାଳିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକ ଦ୍ୱୟ ହେଲେ ୫୦ ବର୍ଷୀୟ ବସ୍ ଡ୍ରାଇଭର ମଦନ ମହତୋ ଓ ୨୫ ବର୍ଷୀୟ ହେଲ୍‌ପର ଇବ୍ରାହିମ। ପୋଲିସ ସୂଚନା ମୁତାବକ, ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ଡ୍ରାଇଭର ଓ ହେଲପର ବସ୍ ଭିତରେ ଶୋଇଥିଲେ।

ପୋଲିସ କହିଛି, ବସ୍‌ର ଅବସ୍ଥା ଦେଖି ଲାଗୁଛି କି, ସେମାନେ ଦୀପାବଳି ପାଇଁ ବସ୍ରେ ମହମବତୀ ଜାଳିଥିଲେ। ମହମବତୀ ଯୋଗୁ ବସ୍‌ରେ ନିଆଁ ଲାଗି ଯାଇଥିଲା ଏବଂ ହୁଏତ ମଦ ନିଶା କାରଣରୁ ଡ୍ରାଇଭର ଓ ହେଲ୍‌ପର ନିଆଁର ଉତ୍ତାପ ଅନୁଭବ କରିପାରି ନ ଥିଲେ। ଯେତେବେଳେ ଅଗ୍ନିଶମ ବାହିନୀକୁ ଏ ନେଇ ସୂଚନା ଦିଆଯାଇଥିଲା, ସେତେବେଳକୁ ବସ୍‌ଟି ଜଳି ପାଉଁଶ ହୋଇ ସାରିଥିଲା। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘଟଣାରେ ଦୁଃଖ ପ୍ରକାଶ କରି ମୃତକ ଦ୍ୱୟଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।