ବିହାରରେ ଅଘଟଣ! ଦଶାହ ଭୋଜି ଉପରେ ମାଡ଼ି ଗଲା କାର୍, ୧୮ ଆହତ

ବିହାର: ଦଶାହ ଭୋଜି ଉପରେ ମାଡ଼ି ଗଲା କାର, ୧୮ ଆହତ। ବିହାର ସରନ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା। ଦଶାହ ଭୋଜି ଚାଲିଥିବାବେଳେ ଆଖି ପିଛୁଳାକେ ମାଡିଗଲା କାର। ସୂଚନା ମୁତାବକ, କାର୍‌ଟି ପ୍ରଥମେ ରାସ୍ତା କଡ଼ରେ ଥିବା ଏକ ଦୋକାନରେ ପିଟି ହେବା ପରେ ଦଶାହ ଭୋଜି ଉପରେ ମାଡ଼ି ଯାଇଥିଲା। ଏହାପରେ କାର୍‌ଟି ଓଲଟି ପଡିଥିଲା।

ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗମ୍ଭୀର ରହିଛି। ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ଘଟଣା ଘଟିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏତିକି ବେଳେ କାରଟି ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଘଟଣା ପରେ ଲୋକମାନେ କାରରେ ଥିବା ଲୋକଙ୍କୁ କାବୁ କରିବା ସହିତ ମୁଖ୍ୟ ରାସ୍ତାରେ ନିଆଁ ଲଗାଇ ତୀବ୍ର ବିରୋଧ କରିଥିଲେ। ଦୁର୍ଘଟଣା ପରେ ଲୋକଙ୍କ କାନ୍ଦ ବୋବାଳିରେ ଫାଟିପଡୁଥିଲା ସାରା ପରିବେଶ। ଏନେଇ ସୂଚନା ପାଇବା ମାତ୍ରକ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍ କାରରେ ଥିବା ଲୋକଙ୍କୁ ଗାଁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏହି ସମୟରେ ପୋଲିସ୍ କୁ ମଧ୍ୟ ସ୍ଥାନୀୟ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା।  ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ବେଳେ, ପୋଲିସ କହିଛି ଯେ ବର୍ତ୍ତମାନ ଘଟଣାର ମୁଖ୍ୟ କାରଣ ଜଣାପଡିନାହିଁ। କାରରେ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ଏପଟେ, କାର୍ ଚାଳକ ଜଣକ ମଦ୍ୟପାନ କରି ଗାଡି ଚଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.