ମଟନ କହି ଲୋକଙ୍କୁ ବିକୁଥିଲେ ବିଲେଇ ମାଂସ, ୧୦୦୦ ବିଲେଇଙ୍କୁ ଉଦ୍ଧାର କଲା ପୋଲିସ

ଚୀନରେ ପାଖାପାଖି ୧୦୦୦ ବିଲେଇଙ୍କୁ ଉଦ୍ଧାର କରାଯାଇଛି । ଏହି ବିଲେଇଙ୍କୁ ମାରି ସେମାନଙ୍କ ମାଂସ ଜନସାଧାରଣଙ୍କୁ ବିକ୍ରି କରାଯାଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବିଲେଇ ମାଂସକୁ ଚିକେନ୍-ମଟନ୍ ଏବଂ ଘୁଷୁରି ମାଂସ କହି ବିକ୍ରି କରାଯାଉଥିଲା ।

ଦୁନିଆର ପ୍ରାୟତଃ ସବୁ ଦେଶର ଲୋକମାନେ ଜୀବ ଯନ୍ତୁ ଖାଇଥାନ୍ତି । ଚିକେନ୍-ମଟନ୍ ବ୍ୟତୀତ ଗାଈ, ହରିଣ, ଠେକୁଆ ପରି ପଶୁଙ୍କୁ ଖାଇବାକୁ ଲୋକେ ଭଲ ପାଆନ୍ତି । କିନ୍ତୁ ପଶୁ ମାଂସ ଖାଇବା କଥା ଆସିଲେ ଚୀନ୍ ସହ କୌଣସି ଦେଶ ପ୍ରତିଯୋଗିତା କରି ପାରିବେ ନାହିଁ । କାରଣ ଏଠାରେ ଏପରି କୌଣସି ଜୀବ ନଥିବ ଯାହାର ମାଂସ ଲୋକମାନେ ଖାଇ ନଥିବେ । ଲୋକମାନେ ସାପ, ବିଛା ଠାରୁ ଆରମ୍ଭ କରି କୁକୁର ଏବଂ ବିଲେଇ ପର୍ଯ୍ୟନ୍ତ ସବୁକିଛି ଖାଇଥାନ୍ତି । ତେବେ ବିଲେଇ ସହ ଜଡିତ ଏକ ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନରେ ପାଖାପାଖି ୧୦୦୦ ବିଲେଇଙ୍କୁ ଉଦ୍ଧାର କରାଯାଇଛି । ଏହି ବିଲେଇଙ୍କୁ ମାରି ସେମାନଙ୍କ ମାଂସ ଜନସାଧାରଣଙ୍କୁ ବିକ୍ରି କରାଯାଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବିଲେଇ ମାଂସକୁ ଚିକେନ୍-ମଟନ୍ ଏବଂ ଘୁଷୁରି ମାଂସ କହି ବିକ୍ରି କରାଯାଉଥିଲା ।

ରିପୋର୍ଟ ଅନୁସାରେ ଜ୍ୟାଙ୍ଗଜିଆଗ୍ୟାଙ୍ଗ ପୋଲିସକୁ କିଛି ଆନିମାଲ ଆକ୍ଟିଭିଷ୍ଟ ସୂଚନା ଦେଇଥିଲେ ଯେ ଶହ ଶହ ବିଲେଇଙ୍କୁ ଟ୍ରକରେ ଚାଲାଣ କରାଯାଉଛି । ସୂଚନା ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରକଗୁଡ଼ିକୁ ଜବତ କରିଥିଲା । ପ୍ରଥମେ ଆନିମାଲ ଆକ୍ଟିଭିଷ୍ଟ ଶ୍ମଶାନ ନିକଟରେ ଅନେକ ବନ୍ଦ ବାକ୍ସ ପାଇଥିଲେ, ଯେଉଁଥିରେ ବିଲେଇମାନେ ଥିଲେ । ପ୍ରାୟ ୬ ଦିନ ଧରି ଆନିମାଲ ଆକ୍ଟିଭିଷ୍ଟମାନେ ସେହି ଟ୍ରକଗୁଡିକର ପିଛା କରିଥିଲେ ଏବଂ ଯେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ବିଲେଇମାନଙ୍କୁ ଟ୍ରକରେ ଚାଲାଣ କରାଯାଉଛି, ସେମାନେ ତୁରନ୍ତ ପୋଲିସକୁ ଏ ବିଷୟରେ ଜଣାଇଥିଲେ।

ରିପୋର୍ଟରେ ଦାବି କରାଯାଇଛି ଯେ ବିଲେଇମାନଙ୍କୁ ମାରିବା ପରେ ସେମାନଙ୍କ ମାଂସ ଦେଶର ଦକ୍ଷିଣ ଭାଗକୁ ଯୋଗାଇ ଦିଆଯାଉଥିଲା ଯେଉଁଠାରେ ଏହାକୁ ଘୁଷୁରି କିମ୍ବା ମଟନ୍ ମାଂସ କହି ବିକ୍ରି କରାଯାଉଥିଲା । ପୋଲିସ ପ୍ରାୟ ୧୦୦୦ ବିଲେଇଙ୍କୁ ଉଦ୍ଧାର କରିଛି। ଜଣେ ଆନିମାଲ ଆକ୍ଟିଭିଷ୍ଟ କହିଛନ୍ତି ଯେ ଏହି ବିଜନେସ୍‌ ଦ୍ୱାରା ୧ ପାଉଣ୍ଡ ବିଲେଇ ମାଂସ ଅର୍ଥାତ୍ ପ୍ରାୟ ୪୫୦ ଗ୍ରାମ ମାଂସକୁ ୩୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ଗୋଟିଏ ବିଲେଇର ଓଜନ ପ୍ରାୟ ୪ ରୁ ୫ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ ।

ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ଆନିମାଲ ଆକ୍ଟିଭିଷ୍ଟମାନେ ବିଲେଇମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ପଠାଇଛନ୍ତି । ଯଦି ବିଲେଇମାନଙ୍କୁ ମାରିବା ପରେ ସେମାନଙ୍କ ମାଂସ ବିକ୍ରି କରାଯିବା ପ୍ଲାନ୍‌ ସଫଳ ହୋଇଥାନ୍ତା, ତେବେ ଅଭିଯୁକ୍ତମାନେ ୧୭ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇଛନ୍ତି କି ନାହିଁ, କିମ୍ବା ଏମାନେ ଗୃହପାଳିତ କିମ୍ବା ବାହାର ବିଲେଇ ତାହା ଜଣା ପଡିନାହିଁ । ତେବେ ଏଭଳି ଘଟଣା ଚୀନରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.