ପୁଣି ଦେଶରେ ଦେଖାଦେଲା ବାର୍ଡ ଫ୍ଲୁ ଆତଙ୍କ, ରାଜ୍ୟ ଗୁଡ଼ିକ ପାଇଁ ଜାରି ହେଲା ଏସ୍‌ଓପି

ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ହରିୟାଣା, ରାଜସ୍ଥାନ, କେରଳ ଓ ମଧ୍ୟପ୍ରଦେଶ ପରେ ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର କାଙ୍ଗଡା ଉପତ୍ୟକାର ପ୍ରସିଦ୍ଧ ପଙ୍ଗ ଡ୍ୟାମ୍‌ ହ୍ରଦ ତଥା ନାଗ୍ରୋତା ସୁରିଆନ୍‌ ବନାଞ୍ଚଳରେ ୧୮୦୦ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ବରେଲିରେ ଥିବା ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ ଲାବୋରେଟାରୀରେ ମୃତ ପକ୍ଷୀମାନଙ୍କ ନମୁନାରେ ବାର୍ଡ ଫ୍ଲୁ ଥିବା ଜଣାପଡ଼ିଛି । ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଦେଶକୁ ଆସୁଥିବାରୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ସବୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ଚିଠି ଲେଖିଛନ୍ତି ।

ବାର୍ଡ ଫ୍ଲୁକୁ ରୋକିବା ପାଇଁ କେନ୍ଦ୍ର ମନ୍ତ୍ରାଳୟ ରାଜ୍ୟମାନଙ୍କୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଏବଂ ସତର୍କତା ଅବଲମ୍ବନ କରିବାକୁ କହିଛି । ରାଜ୍ୟ ଗୁଡ଼ିକ ପାଇଁ ଏସ୍‌ଓପି ଜାରି କରାଯାଇଛି । ଏକ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ କରିବାକୁ କୁହାଯାଇଛି । ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ, ତେବେ ବିଦେଶାଗତ ପକ୍ଷୀଙ୍କୁ ମନିଟର କରିବା ପାଇଁ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯିବ । ରାଜ୍ୟ ପଶୁ ସମ୍ପଦ ବିଭାଗର ସହଯୋଗରେ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯିବ । ମୃତ ପକ୍ଷୀଙ୍କର ଅତ୍ୟନ୍ତ ସାବଧାନତାର ସହ ବୈଜ୍ଞାନିକ ପଦ୍ଧତିରେ ତଦାରଖ କରାଯିବ ।

ନିଷିଦ୍ଧାଞ୍ଚଳ ଛଡା ଯେଉଁସବୁ ଅଞ୍ଚଳକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେବାର ସମ୍ଭାବନା ରହିଛି, ସେସବୁ ଉପରେ ନଜର ରଖାଯିବ । ନମୁନା ସଂଗ୍ରହର ବୈଷୟିକ ଜ୍ଞାନ ପାଇଁ ଉପଯୁକ୍ତ ଅଧିକାରୀଙ୍କୁ ତାଲିମ ପାଇଁ ପଠାଯାଉ । ବିଦେଶାଗତ ମୃତ ପକ୍ଷୀଙ୍କର ତଥ୍ୟ ତୁରନ୍ତ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଜଣାଯାଉ । ମୃତ ପକ୍ଷୀର ନମୁନା ସଂଗ୍ରହ କରି ତୁରନ୍ତ ପରୀକ୍ଷା ପାଇଁ ପଠାଯିବ । ସ୍ଥାନୀୟ ପଶୁ ସମ୍ପଦ ବିଭାଗ ପରୀକ୍ଷାର ରିପୋର୍ଟ ସଂଗ୍ରହ କରି ମନ୍ତ୍ରାଳୟକୁ ପଠାଇବ । ଚିଡିଆଖାନା ମାନଙ୍କରେ ମଧ୍ୟରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ବିଦେଶାଗତ ପକ୍ଷୀଙ୍କ ସଂପର୍କରେ ସାପ୍ତାହିକ ରିପୋର୍ଟ ମନ୍ତ୍ରାଳୟକୁ ଦିଆଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.