ଗୁଜବ ପ୍ରଚାର କଲେ ଆଉ ରକ୍ଷା ନାହିଁ, ସାବଧାନ୍ ଓଟିଟି ଓ ସାମାଜିକ ଗଣମାଧ୍ୟମ

କେନ୍ଦ୍ର ସରକାର ଆଜି ସୋସିଆଲ ମିଡିଆ ଓ ଓଭର ଦ ଟପ୍‌(ଓଟିଟି) ପ୍ଲାଟଫର୍ମ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ଆଜି ଅପରାହ୍ନ ୨ଟାରେ ଏକ ପ୍ରେସ କନ୍‌ଫରେନ୍ସରେ ରେଗୁଲେସନ୍‌ ଘୋଷଣା କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଭିତରେ ଫେସ୍‌ବୁକ୍‌, ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ନେଟ୍‌ ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌, ହଟ୍‌ଷ୍ଟାର ଭଳି ଓଟିଟି ପ୍ଲାଟଫର୍ମ ଆସିବ। ଜାଭଡେକର ପୂର୍ବରୁ ହିଁ କହିଥିଲେ ଯେ ଏନେଇ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇସାରିଛି ଓ ଖୁବ୍‌ଶୀଘ୍ର ଜାରି କରାଯିବ।

ସୋସିଆଲ ମିଡିଆର ଅପବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଛି। ସୋସିଆଲ ମିଡିଆରେ ପ୍ରାୟତଃ ଅଶ୍ଳୀଳ ଫଟୋ ସେୟାର କରାଯାଉଛି। ଏଥିସହ ଆତଙ୍କୀ ଗତିବିଧି ମଧ୍ୟ ହେଉଛି। ଏଣୁ ଏହାର ଅପବ୍ୟବହାରକୁ ରୋକିବା ପାଇଁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଏହି ଗାଇଡ୍‌ଲାଇନ୍‌ ମୁତାବକ, ଏବେ ସୋସିଆଲ ମିଡିଆରେ ଯଦି କୌଣସି ଅଭିଯୋଗ ଆସେ ତେବେ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ସଂସ୍ଥାକୁ ଅଭିଯୋଗ ରଖିବାକୁ ପଡ଼ିବ ଓ ୧୫ ଦିନ ମଧ୍ୟରେ ଅଭିଯୋଗ ସମାଧାନ କରିବାକୁ ପଡ଼ିବ। ଯଦି କୌଣସି କଣ୍ଟେଣ୍ଟକୁ ନେଇ ଅଭିଯୋଗ ଆସେ ତେବେ ୨୪ ଘଣ୍ଟା ମଧ୍ୟରେ ତାକୁ ସାଇଟ୍‌ରୁ ହଟାଇବାକୁ ପଡ଼ିବ।

ଉଭୟ ଓଟିଟି ଓ ଡିଜିଟାଲ ମିଡିଆକୁ ଖବର କିମ୍ବା ତଥ୍ୟ ପରିବେଷଣ କରିବା ବେଳେ କେଉଁଠାରୁ ତଥ୍ୟ ଆଣୁଛନ୍ତି ଓ ତାହାର କେତେ ପ୍ରତିଶତ ସତ୍ୟତା ଅଛି ତାହାର ସୂଚନା ଦେବାକୁ ପଡ଼ିବ। ସମସ୍ତ ଓଟିଟି ପ୍ଳାଟଫର୍ମକୁ ଏକ ସେଲ୍ଫ ରେଗୁଲେସନ୍‌ ବଡି ତିଆରି କରିବାକୁ ପଡ଼ିବ। ଏଥିରେ ଜଣେ ବରିଷ୍ଠ ଜଜ୍‌ ରହିବା ଦରକାର। ଫଳରେ ଅଭିଯୋଗ ଆସିଲେ ତୁରନ୍ତ ସମାଧାନ ହୋଇପାରିବ। ଏଥିସହ ଓଟିଟିରେ ସେନ୍‌ସର ବୋର୍ଡ ଭଳି ନିୟମ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଥ୍ୟା ଖବର ପରିବେଷଣକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ୩ ମାସ ଭିତରେ ଏହା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଏଥିସହ ଖାସ୍‌ କରି ଡିଜିଟାଲ ମିଡିଆକୁ ଗୁଜବ ପ୍ରଚାରିତ ନ କରିବାକୁ କୁହାଯାଇଛି। ସ୍ୱାଧୀନତାର ଅପବ୍ୟବହାର ନ କରି ଜନତାଙ୍କ ପାଖରେ ସତ ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.