ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି, ତୁରନ୍ତ ଆଦେଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ରାତି ଅଧିଆ ଫେରାଇ ନେଲା କେନ୍ଦ୍ର । ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗକୁ ପଠାଯାଇଛି । ତୁରନ୍ତ ଏହି ଆଦେଶ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କୁହାଯାଇଛି । ମେ’ ୩୧ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଲପନ ବନ୍ଦୋପାଧ୍ୟାୟଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଚଳିତମାସ ଅର୍ଥାତ୍‌ ମେ’ ୩୧ ତାରିଖରେ ସରୁଥିଲା । ହେଲେ ୨୫ ତାରିଖରେ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ତାଙ୍କ ଉପରେ ବଡ଼ ପ୍ରଭାବ ପଡିବନି । ଅଲପନ ୧୯୮୭ ବ୍ୟାଚର IAS ଅଫିସର । ସେ ହାଓ୍ଵଡା ସମେତ ଅନେକ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ।

ଗତକାଲି ଓଡ଼ିଶା ପରେ ପଶ୍ଚିମବଙ୍ଗରେ ୟସ କ୍ଷୟକ୍ଷତିର ସମୀକ୍ଷା କରିଥିଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ପ୍ରାୟ ଅଧଘଣ୍ଟା ପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ସଚିବ । ମୁଖ୍ୟ ସଚିବ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପରେ ସେଠାରୁ ଚାଲିଯାଇଥିଲେ ମମତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.