ରାସ୍ତା ଖୋଲିବା ପରେ ପୁଣିଥରେ ଆରମ୍ଭ ହେଲା ଚାରିଧାମ ଯାତ୍ରା, ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପୁଣିଥରେ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଚାରିଧାମ ଯାତ୍ରା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। କେବଳ କେଦାରନାଥରେ ହିଁ ପାଖାପାଖି ୧୦ ହଜାର ଯାତ୍ରୀ ବାବା କେଦାରନାଥଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। ସେହିଭଳି ଗଙ୍ଗୋତ୍ରୀ, ଯମୁନୋତ୍ରୀ ଓ ବଦ୍ରିନାଥରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଲଗାତାର ବଢ଼ୁଛି।

ସୂଚନାଯୋଗ୍ୟ ଯେ ୧୭ ଓ ୧୮ ଅକ୍ଟୋବରରେ ହୋଇଥିବା ପ୍ରବଳ ବର୍ଷା ପରେ ଯାତ୍ରୀଙ୍କ ସଂଖ୍ୟା କମିଥିଲା। କିନ୍ତୁ ୨୨ ତାରିଖରେ ଯାତ୍ରା ପଥ ଖୋଲିବା ପରେ ପୁଣିଥରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଏଣୁ ଏବେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଚାରିଧାମ ଯାତ୍ରା ଶେଷ ହେବାକୁ ଆଉ ଅଳ୍ପ ଦିନ ବାକିଥିବାରୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଏଠାକୁ ଆସୁଛନ୍ତି। ଯାତ୍ରା ଆରମ୍ଭ ହେବା ଦିନଠୁ ଏବେ ଯାଏଁ ପାଖାପାଖି ଅଢ଼େଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଚାରିଧାମ ଦର୍ଶନ ପାଇଁ ପହଞ୍ଚିଛନ୍ତି।

ଚାରିଧାମ ଯାତ୍ରା ଆରମ୍ଭ ହେବା ପରେ ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି, ବର୍ତ୍ତମାନ ଯାତ୍ରା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ଏବେ ଯାତ୍ରୀ ଆରାମରେ ଚାରିଧାମକୁ ଯାତ୍ରା କରିପାରିବେ। ଯାତ୍ରୀମାନେ ରାଜ୍ୟ ସରକାରଙ୍କ ପ୍ରତି ଭରସା ଦେଖାଇଥିବାରୁ ସରକାର ଧନ୍ୟବାଦ ଜଣାଉଛନ୍ତି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ।

ସୂଚନାଯୋଗ୍ୟ ଯେ ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଗସ୍ତରେ ଯିବେ। ଏଥିପାଇଁ ଲଗାତାର ପ୍ରସ୍ତୁତି ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ଅବସରରେ ମୋଦି ବାବା କେଦାର ନାଥଙ୍କ ଦର୍ଶନ କରିବେ ଓ ସେଠାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଲୋକର୍ପଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.