ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ, ଟ୍ଵିଟ୍‌ କରି ଦେଲେ ସୂଚନା

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ। ରଜନୀକାନ୍ତଙ୍କୁ ସିନେ ଜଗତର ଏହି ସର୍ବଶ୍ରେଷ୍ଠ ପୁରସ୍କାର ମିଳିବା ନେଇ ସୁପରଷ୍ଟାର ନିଜେ କହିଛନ୍ତି। ଆଜି ଚେନ୍ନାଇ ସ୍ଥିତ ନିଜ ଘର ବାହାରେ ମିଡିଆଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରଜନୀକାନ୍ତ। ଏ ଅବସରରେ ରଜନୀକାନ୍ତ କହିଥିଲେ, ସେ କେବେ ବି ଭାବି ନଥିଲେ ଯେ ଏହି ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯିବ। କିନ୍ତୁ ସେ ଦୁଃଖିତ ଯେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଥିବା ବେଳେ ଦେଖିବାକୁ ତାଙ୍କ ଗୁରୁ କେବି(କେ ବାଲାଚନ୍ଦର)ଆଉ ଦୁନିଆରେ ନାହାନ୍ତି।

ମିଡିଆ ସହ କଥା ହେବା ବେଳେ ରଜନୀକାନ୍ତ କହିଛନ୍ତି, ମୁଁ ବହୁତ ଖୁସି ଅଛି ଯେ ମୁଁ ଦାଦା ସାହେବ ଫାଲ୍‌କେ ପୁରସ୍କାର ଜିତିଛି। ମୁଁ କେବେ ଆଶା ବି କରିନଥିଲି ଯେ ଏହି ପୁରସ୍କାର ପାଇବି। କିନ୍ତୁ ମୋତେ ଏହି ପୁରସ୍କାର ପାଉଥିବାର ଦେଖିବାକୁ ମୋ ଗୁରୁ କେବି ସାର ଆଉ ଇହ ଜଗତରେ ନାହାନ୍ତି। ଏଣୁ ମୁଁ ଦୁଃଖୀ।

ରିପୋର୍ଟ ମୁତାବକ, ରଜନୀକାନ୍ତ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଆଓ୍ଵାର୍ଡ ଶୋ’ରେ ଯୋଗ ଦେବେ ଓ ପୁରସ୍କାର ଗ୍ରହଣ କରିବେ। ଏପ୍ରିଲ ୨୦୨୧ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ଘୋଷଣା କରିଥିଲେ ଯେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗତ ଚାରି ଦଶକରୁ ଅଧିକ ଦିନ ଧରି ଭାରତୀୟ ସିନେମାରେ ଯୋଗ ଦାନ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଉଛି। ତେବେ କରୋନା ମହାମାରୀ ଥିବାରୁ ଏହି ଆଓ୍ଵାର୍ଡ ପ୍ରୋଗ୍ରାମରେ ବିଳମ୍ବ ହୋଇଥିଲା।

ଭାରତର ଲୋକପ୍ରିୟ ଫିଲ୍ମଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରଜନୀକାନ୍ତ। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଫିଲ୍ମ ସମାରୋହ ନିର୍ଦ୍ଦେଶାଳୟ ଦ୍ୱାରା ଜାତୀୟ ଫିଲ୍ମ ପୁରସ୍କାର ସହ ଦିଆଯାଏ। ପ୍ରଥମ ଥର ପାଇଁ ଏହି ପୁରସ୍କାର ଅଭିନେତ୍ରୀ ଦେବିକା ରାନୀଙ୍କୁ ପ୍ରଦାନ କରାଯାଇଥିଲା। ନିକଟରେ ବରିଷ୍ଠ କଳାକାର ଅମିତାଭ ବଚ୍ଚନ, ବିନୋଦ ଖାନ୍ନା, ଫିଲ୍ମ ନିର୍ମାତା କେ.ବିଶ୍ୱନାଥ ଓ ମନୋଜ କୁମାରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।