ଏୟାର ଇଣ୍ଡିଆ ବିମାନରେ ଅର୍ଡର କଲେ ନିରାମିଷ ଖାଦ୍ୟ, ବାହାରିଲା ଚିକେନ୍ ପିସ୍
ଏୟାର ଇଣ୍ଡିଆ ବିମାନରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । କାଲିକଟ୍ରୁ ମୁମ୍ବାଇ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିମାନରେ ତାଙ୍କୁ ନିରାମିଷ ଖାଦ୍ୟ ଜାଗାରେ ଆମିଷ ଖାଦ୍ୟ ଦିଆଯାଇଛି ।

ଏୟାର ଇଣ୍ଡିଆ ବିମାନରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । କାଲିକଟ୍ରୁ ମୁମ୍ବାଇ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିମାନରେ ତାଙ୍କୁ ନିରାମିଷ ଖାଦ୍ୟ ଜାଗାରେ ଆମିଷ ଖାଦ୍ୟ ଦିଆଯାଇଛି । ଏହି ମାମଲାରେ ସେ ଏୟାରଲାଇନ୍ସ କମ୍ପାନୀ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ଏହା ସହିତ ସୋସିଆଲ ମିଡିଆରେ ଖାଦ୍ୟର ଫଟୋ ସହିତ ନିଜର ପିଏନ୍ଆର୍ ନମ୍ବର ଏବଂ ଅନ୍ୟାନ୍ୟ ସୂଚନା ସେୟାର କରିଛନ୍ତି ।
ବୀରା ଜୈନ ନାମ୍ନୀ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ମୋର ଏୟାର ଇଣ୍ଡିଆ ଫ୍ଲାଇଟ୍ ନଂ. ଏଆଇ୫୮୨ରେ ମୋତେ ଚିକେନ୍ ପିସ୍ ସହିତ ନିରାମିଷ ଖାଦ୍ୟ ଦିଆଯାଇଛି । ମୁଁ କାଲିକଟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲି । ଏହି ବିମାନ ସନ୍ଧ୍ୟା ୬ଟା ୪୦ରେ ଉଡ଼ାଣ ଭରିବାର ଥିଲା, କିନ୍ତୁ ଏହା ସନ୍ଧ୍ୟା ୭ଟା ୪୦ରେ ଉଡ଼ାଣ ଭରିଥିଲା’ ।
ରିପୋର୍ଟ ମୁତାବକ, ବୀରା ଏ ନେଇ କ୍ୟାବିନ୍ ସୁପରଭାଇଜରଙ୍କୁ ସୂଚନା ଦେଇଥିଲେ । ଏହି ମାମଲାରେ ସୁପରଭାଇଜର ତାଙ୍କୁ କ୍ଷମା ମାଗିବା ସହ କହିଥିଲେ କି, ତାଙ୍କୁ ଆଉ ମଧ୍ୟ ଅଭିଯୋଗ ମିଳିଛି । ବୀରା ଏଥିରେ ନିରାଶ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ତାଙ୍କୁ ଆମିଷ ଖାଦ୍ୟ ପରସାଯାଇ ତାଙ୍କ ଭାବନାକୁ ଆଘାତ ଦିଆଯାଇଛି । ଏହି ଘଟଣାରେ ସେ କ୍ୟାଟରିଂ ସର୍ଭିସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏୟାର ଇଣ୍ଡିଆକୁ ଅପିଲ କରିଛନ୍ତି ।
ବୀରା ନିଜ ଟ୍ଵିଟ୍ରେ DGCA ଏବଂ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଯାତ୍ରୀଙ୍କ ଅଭିଯୋଗ ଉପରେ ଏୟାର ଇଣ୍ଡିଆ ପ୍ରତିକ୍ରିୟା ରଖିଛି । ଏୟାର ଇଣ୍ଡିଆ ବୀରା ଜୈନଙ୍କୁ ଟ୍ଵିଟ୍ ହଟାଇ ଦେବାକୁ ଅପିଲ୍ କରି ତାଙ୍କୁ ମେସେଜରେ ମାମଲାର ସୂଚନା ଦେବାକୁ କହିଛି । ଏୟାର ଇଣ୍ଡିଆ ମେସେଜ ଜରିଆରେ ବୀରା ଜୈନଙ୍କୁ କ୍ଷମା ମାଗିଛି ।