Below header

LACରେ ଚୀନ କରୁଛି ଯୁଦ୍ଧ ପ୍ରସ୍ତୁତି, ୨୦୩୦ ସୁଦ୍ଧା ତିଆରି କରି ଦେବ ୧୦୦୦ ପରମାଣୁ ବୋମା!

ଚୀନ ଆଶାଠାରୁ ଅଧିକ ନିଜ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଦ୍ରୁତ ଗତିରେ ବଢ଼ାଇ ଚାଲିଛି। ବର୍ଷେ ପୂର୍ବରୁ ଆମେରିକୀୟ ଅଧିକାରୀମାନଙ୍କର ଯେଉଁ ଅନୁମାନ ଥିଲା, ଚୀନ ତାହାଠାରୁ ଅନେକ ଗୁଣା ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ରକୁ ତୀବ୍ର କରୁଛି। ସୂଚନା ରହିଛି କି, ଆମେରିକାର ସମକକ୍ଷ ହେବା ପାଇଁ ଚୀନ ଏମିତି କରୁଛି। ଶୀତ ମଧ୍ୟବର୍ତ୍ତୀ ସୁଦ୍ଧା ଆମେରିକାକୁ ପଛରେ ପକାଇବା ହେଉଛି ଚୀନର ଏକମାତ୍ର ଉଦ୍ଦେଶ୍ୟ। ଆମେରିକୀୟ ରକ୍ଷା ବିଭାଗ ପେଣ୍ଟାଗନ ଦ୍ୱାରା ଜାରି ରିପୋର୍ଟରେ ଏହି ଖୁଲାସା କରାଯାଇଛି।

ରିପୋର୍ଟରେ କୁହାଯାଇଛି, LACରେ ଜାରି ବିବାଦ ଭିତରେ ଚୀନ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଅଞ୍ଚଳରେ ଫାଇବର ଅପ୍ଟିକ୍‌ ନେଟ୍‌ଓ୍ଵାର୍କର ତାର ବିଛେଇ ଦେଇଛି, ଯାହାଫଳରେ ଏହି ଅଞ୍ଚଳରେ ଯୋଗାଯୋଗର ସୁବିଧାକୁ ବଢ଼ାଯାଇ ପାରିବ। ଅନ୍ତର୍ଜାତୀୟ ସୀମାରେ ନିଜ ଗତିବିଧିକୁ ବଢ଼ାଇ ଚୀନ LACରେ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ସେପଟେ ଚୀନ ଦ୍ରୁତ ଗତିରେ ନିଜ ପରମାଣୁ ଶକ୍ତି ମଧ୍ୟ ବୃଦ୍ଧି କରୁଛି। ୨୦୩୦ ସୁଦ୍ଧା ଚୀନ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୧୦୦୦ କରିଦେଇ ପାରେ ବୋଲି ରିପୋର୍ଟରେ କୁହାଯାଇଛି।

ବୁଧବାର ପେଣ୍ଟାଗନ ଦ୍ୱାରା ଜାରି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ୨୦୨୦ରେ ଚୀନ ଓ ଭାରତ ମଧ୍ୟରେ ଉପୁଜିଥିବା ସୀମା ବିବାଦ ସମୟରେ ଚୀନ ସେନା ପଞ୍ଚିମ ହିମାଳୟର ଦୁର୍ଗମ ଅଞ୍ଚଳରେ ଫାଇବର ଅପ୍ଟିକ୍‌ ନେଟଓ୍ଵାର୍କ ସ୍ଥାପିତ କରିଥିଲା, ଯେପରି ଏହି ସବୁ ଅଞ୍ଚଳରେ ଦ୍ରୁତ ଗତିରେ ଯୋଗାଯୋଗ କରାଯାଇ ପାରିବ। ରିପୋର୍ଟ ଅନୁସାରେ, ଅପ୍ଟିକ୍‌ ଫାଇବର ସେଟ୍‌ଅପ ଚୀନ ସେନାକୁ ସୀମାରେ ଗୁପ୍ତଚର କାର୍ଯ୍ୟକଳାପ, ନିରୀକ୍ଷଣ ଏବଂ ସୈନ୍ୟ ଗତିବିଧିଗୁଡ଼ିକୁ ତୀବ୍ର କରିବାରେ ସାହାଯ୍ୟ କରିଛି। ପେଣ୍ଟାଗନ ରିପୋର୍ଟରେ କୁହାଯାଇଛି, କରୋନା ଭାଇରସ୍‌ ମହାମାରୀ ସତ୍ତ୍ୱେ ଚୀନ, ଭାରତ ସହିତ ସୀମା ବିବାଦ ଜାରି ରଖିଥିଲା ଏବଂ ସୀମାରେ ନିଜ ସୈନ୍ୟ ଗତିବିଧିକୁ ତୀବ୍ର କରିଥିଲା। ସୀମା ବିବାଦକୁ କମ୍‌ କରିବା ପାଇଁ ଦୁଇଟି ଦେଶ ମଧ୍ୟରେ କୂଟନୈତିକ ଏବଂ ସାମରିକ କଥାବାର୍ତ୍ତା ସତ୍ତ୍ୱେ ଚୀନ ନିଜ କାର୍ଯ୍ୟକଳାପରୁ ଓହରି ନାହିଁ। LACରେ ଚାପ ବଢ଼ାଇବା ପାଇଁ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ହ୍ରାସ କରି ନାହିଁ।

ଆମେରିକୀୟ ରକ୍ଷା ବିଭାଗ ରିପୋର୍ଟରେ ଦର୍ଶାଯାଇଛି ଯେ ଚୀନ ପରମାଣୁ ଅସ୍ତ୍ରଶସ୍ତ୍ରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି। ଆଗାମୀ ୬ ବର୍ଷରେ ଚୀନ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୭୦୦ ହୋଇ ଯାଇପାରେ ଏବଂ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୧୦୦୦ ଉପରକୁ ପହଞ୍ଚି ଯାଇପାରେ। ଯଦିଓ ରିପୋର୍ଟରେ ଏହା କୁହାଯାଇ ନାହିଁ ଯେ ବର୍ତ୍ତମାନ ଚୀନ ପାଖରେ କେତେ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। କିନ୍ତୁ ବର୍ଷେ ପୂର୍ବରୁ ନିଜ ରିପୋର୍ଟରେ ପେଣ୍ଟାଗନ ଦାବି କରିଥିଲା, ଚୀନ ପାଖରେ ୨୦୦ରୁ କମ୍‌ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.