କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନାଗରିକତ୍ୱ ସଂଶୋଧନ ବିଲକୁ ମିଳିଛି ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ): ଚଳିତ ଶୀତ ଅଧିବେଶନରେ ଆସିବ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ୍‌। ଏହି ବିଲ୍‌କୁ ଆଜି ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ। ଏହି ବିଲ୍‌ ମୁତାବକ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍‌ସିଙ୍କୁ ଭାରତୀୟ ନାଗରିକତା ମିଳିବ। ବିଲ୍‌ ଜରିଆରେ ବର୍ତ୍ତମାନ ଥିବା ନାଗରିକତା ଆଇନରେ ସଂଶୋଧନ କରାଯିବ। ଏହା ଫଳରେ ଏହି ଛଅଟି ଧର୍ମର ଲୋକ, ଯେଉଁମାନେ ପଡୋଶୀ ଦେଶରେ ନିର୍ଯାତନା ସହି ନ ପାରି ବେଆଇନଭାବେ ଭାରତରେ ଆସି ରହୁଛନ୍ତି ସେମନଙ୍କୁ ଭାରତୀୟ ନାଗରିକତା ମିଳିବ। । କିନ୍ତୁ ଏହି ବିଲ୍‌ରେ ମୁମଲମାନ ଧର୍ମକୁ ସାମିଲ କରାଯାଇ ନାହିଁ। ତେଣୁ ଏହା ଭାରତୀୟ ସମ୍ବିଧାନର ଧର୍ମନିରପେକ୍ଷତା ସିଦ୍ଧାନ୍ତର ବିରୋଧୀ ବୋଲି କହି ବିରୋଧୀ ଏହାକୁ ସମାଲୋଚନା କରୁଛନ୍ତି।

ଏହାସହ ଉତ୍ତରପୂର୍ବ ରାଜ୍ୟଗୁଡିକ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ ଚିନ୍ତା, ଗତ କିଛି ଦଶକ ହେଲା ବହୁ ସଂଖ୍ୟାରେ ବାଂଲାଦେଶୀ ଆସି ଉତ୍ତରପୂର୍ବ ରାଜ୍ୟଗୁଡିକରେ ରହୁଛନ୍ତି। ସେମାନଙ୍କୁ ବର୍ତ୍ତମାନ ନାଗରିକତା ପ୍ରଦାନ କରାଯିବ। ଆଜି କ୍ୟାବିନେଟ୍‌ରେ ବିଲ୍‌ ପାସ୍‌ ପରେ ଉତ୍ତରପୂର୍ବର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ମଧ୍ୟ ଆରମ୍ଭ ହୋଇ ଯାଇଛି।ବିଜେପିର ବହୁମତ ଥିବାରୁ ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ସହଜରେ ଗୃହୀତ ହୋଇଯିବ। କିନ୍ତୁ ରାଜ୍ୟ ସଭାରେ ବିଜେପିର ବହୁମତ ନଥିବାରୁ ଏହା ଗୃହୀତ ହେବା ସହଜ ହେବ ନାହିଁ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଏସ୍‌ପି, ବାମ ଦଳ, ଆର୍‌ଜେଡି ଏହି ବିଲ୍‌କୁ ବିରୋଧ କରୁଛନ୍ତି।

କିନ୍ତୁ ସରକାରଙ୍କୁ ଏଆଇଏଡିଏମ୍‌କେ, ଅକାଳୀଦଳ ଓ ଜେଡିୟୁର ସମର୍ଥନ ମିଳିପାରେ। ୨୦୧୬ରେ ଲୋକସଭାରେ ଏହି ବିଲ୍‌କୁ ବିରୋଧ କରିଥିଲା ଆସାମ ଗଣ ପରିଷଦ। ବର୍ତ୍ତମାନ ବିଲ୍‌ରେ କିଛି ପରିବର୍ତ୍ତନ କରାଯାଇ ଥିବାରୁ ଏଜିପି ଏହାକୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ବିଲ୍‌କୁ ନେଇ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ମିଳିଛି ବିଜେଡିର ସମର୍ଥନ। ଏଥର କଣ ବିଜେଡି ସମର୍ଥନ ଦେବ? ସେପଟେ ଯେଉଁ ଦିନ ଗୃହମନ୍ତ୍ରୀ ଅମିତ ଶାହା ବିଲ୍‌କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ସେହି ଦିନ ସମସ୍ତ ବିଜେପି ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି ଦଳ। ଆଜି କ୍ୟାବିନେଟ୍‌ରେ ନାଗରିକତା ସଂଶୋଧନ ବିଲ୍‌ ସହ ମୋଟ ୬ଟି ବିଲ୍‌କୁ ମଞ୍ଜୁରୀ ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.