ଅତିକ୍ଙ୍କ ହତ୍ୟା ପରେ ପ୍ରୟାଗରାଜରେ ପ୍ରଥମ ଥର ଗର୍ଜିଲେ ଯୋଗୀ ଆଦିତ୍ୟନାଥ, କହିଲେ, ‘ସମସ୍ତଙ୍କ ହିସାବ ବରାବର’
ଉତ୍ତର ପ୍ରଦେଶରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାରର ଆଜି ରହିଛି ଶେଷ ଦିନ। ଶେଷ ଦିନରେ ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ପହଞ୍ଚିଥିଲେ।
ଉତ୍ତର ପ୍ରଦେଶରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାରର ଆଜି ରହିଛି ଶେଷ ଦିନ। ଶେଷ ଦିନରେ ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ପହଞ୍ଚିଥିଲେ। ଅତିକ୍ ଅହମ୍ମଦଙ୍କ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଏଠାରେ ପହଞ୍ଚି ଖୁବ୍ ଗର୍ଜିଥିଲେ। ଏହି ସମୟରେ ସେ ଅତିକ୍ ଅହମ୍ମଦଙ୍କ ନାମ ନ ନେଇ ମାଫିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ।
ସିଏମ୍ ଯୋଗୀ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ ‘ପ୍ରୟାଗରାଜକୁ ପାପର ଶିକାର କରାଯାଇଥିଲା, ଏହି ପ୍ରକୃତି ସମସ୍ତଙ୍କ ହିସାବ ବରାବର କରି ରଖିଦିଏ। କିନ୍ତୁ ପ୍ରୟାଗରାଜ ନ୍ୟାୟର ଧରିତ୍ରୀ। ଯିଏ ଯେମିତି କରିବ, ସେମିତି ଭୋଗିବ’। ଯୋଗୀ ଆହୁରି କହିଥିଲେ କି, ‘ପିଏମ୍ଙ୍କ ନେତୃତ୍ୱରେ ଭାରତର ପ୍ରତିଷ୍ଠା ବଢ଼ିଛି। ଗଣତନ୍ତ୍ରରେ ରାଜା ହେଉ କି ପ୍ରଜା, ସମସ୍ତଙ୍କର ଭୋଟ୍ ଦେବାର ସମାନ ଅଧିକାର ରହିଛି। ଆଜି ଭାରତର ଏକ ସମ୍ମାନ ରହିଛି, ସାରା ବିଶ୍ୱରେ ଭାରତ ପ୍ରତି ଲୋକଙ୍କ ମନୋଭାବ ବଦଳିଛି’।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆଜି ଆମ ସହର ସୁରକ୍ଷିତ ସହରରେ ପରିଣତ ହେଉଛି। ଆଜି ଯୁବକମାନଙ୍କ ହାତରେ ପିସ୍ତଲ ନାହିଁ କାରଣ, ସେମାନେ ପିସ୍ତଲର ଖରାପ ପ୍ରଭାବ ଜାଣିଛନ୍ତି। ଆଜି ସେମାନଙ୍କ ହାତରେ ଟାବଲେଟ୍ ଅଛି ଏବଂ ଏହି ଟାବଲେଟ୍ ସେମାନଙ୍କ ପ୍ରତିଭାକୁ ଟେକ୍ନୋଲୋଜି ସହ ଯୋଡ଼ୁଛି’।
ଏହାସହ ଯୋଗୀ ଆଦିତ୍ୟନାଥ ଆହୁରି କହିଥିଲେ ଯେ ‘ଆମେ ମାଫିଆଙ୍କ ବେଆଇନ ସମ୍ପତ୍ତି ଜବତ କରି ଗରିବ ଲୋକଙ୍କୁ ଘର ଯୋଗାଇଦେବା। ୨୦୧୭ ପୂର୍ବରୁ ୟୁପିରେ ପର୍ବକୁ ଭୟ ଓ ଆତଙ୍କ ଭିତରେ ପାଳନ କରାଯାଉଥିଲା, କିନ୍ତୁ ଆଜି ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସମସ୍ତେ ଜାଣନ୍ତି ପିସ୍ତଲର ମୂଲ୍ୟ କ’ଣ। କିଛି ଲୋକ ପ୍ରୟାଗରାଜ ସହ ଅନ୍ୟାୟ କରିଛନ୍ତି’।