ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଦୟନୀୟ ସ୍ଥିତିକୁ ଠେଲି ଦେଇଛନ୍ତି, ଦିଲ୍ଲୀରେ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ଏପରି କହିଲେ ରହୁଲ

କଂଗ୍ରେସର ଭାରତ ବଞ୍ଚାଅ ରାଲି । କେନ୍ଦ୍ରର ମୋଦି ସରକାର ବିରୋଧରେ ଦିଲ୍ଲୀର ରାମଲୀଲା ମୈଦାନରେ ଏକାଠି ହେଲେ ହଜାର ହଜାର କଂଗ୍ରେସ କର୍ମୀ । ନାଗରିକତା ଆଇନକୁ ବିରୋଧ, ମହିଳାଙ୍କ ପ୍ରତି ହିଂସା, ଅର୍ଥବ୍ୟବସ୍ଥା ଆଦି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି ଦଳ। ଦେଶର ସାଂପ୍ରତିକ ପରିସ୍ଥିତି ନେଇ ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ। ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଦୟନୀୟ ସ୍ଥିତିକୁ ଠେଲି ଦେଇଥିବା କହିଛନ୍ତି ରାହୁଲ ଗାନ୍ଧି। କଳାଧନ ଠାରୁ ଆରମ୍ଭ କରି ସିଏବି ପ୍ରସଙ୍ଗରେ ମୋଦି ସରକାର ଫେଲ ହୋଇଛି। ଧର୍ମଭିତ୍ତିରେ ଦେଶକୁ ବିଭାଜନ କରିବାକୁ ନରେନ୍ଦ୍ର ମୋଦି ଓ ଅମିତ ଶାହା ଉଦ୍ୟମ ଚଳାଇଛନ୍ତି। ଯାହାର ପରିଣାମ ସ୍ୱରୂପ ଆସାମ ସହ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଜଳୁଥିବା କହିଛନ୍ତି ରାହୁଲ ଗାନ୍ଧି। ସେହିପରି ରେପ ଇନ ଇଣ୍ଡିଆ ପ୍ରସଙ୍ଗରେ ସେ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କେବଳ ସେ ନୁହନ୍ତି, କୌଣସି କଂଗ୍ରେସ ନେତା କ୍ଷମା ପ୍ରାର୍ଥନା କରିବେ ନାହିଁ। ସେହିପରି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି, ବ୍ୟକ୍ତି, ସମାଜ ଓ ଦେଶରେ ଏଭଳି ସମୟ ଆସେ ଯେତେବେଳେ କଠୋର ନିଷ୍ପତ୍ତି ନେବାକୁ ପଡ଼େ। ବର୍ତ୍ତମାନ ସମୟ ଆସିଛି, ଦେଶକୁ ରକ୍ଷା କରିବାକୁ ଦୃଢ ସଂଘର୍ଷ କରିବାକୁ ପଡ଼ିବ। ଏହି ରାଲିରେ ସାମିଲ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ରାମଲୀଳା ମୈଦାନରେ ପହଞ୍ଚିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ବରିଷ୍ଠ ନେତା ପି. ଚିଦାମ୍ବରମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚ୍ଚିନ ପାଇଲଟ, ସଲମନ ଖୁର୍ସିଦ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ନେତା ଏଥିରେ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.