ଚୀନକୁ ପୁଣି ଫେରିଲା କରୋନା ଭାଇରସ, ଲକଡାଉନ ଲାଗୁ

କିଛି ଦିନର ବ୍ୟବଧାନ ପରେ ଚୀନରେ ପୁଣି ଫେରିଛି ମାରାତ୍ମକ କରୋନା ଭାଇରସ । ପୁଣିଥରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଚୀନରେ ସାମ୍ନାକୁ ଆସିଛି । ଚୀନର ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଭୂତାଣୁ ବୃଦ୍ଧି ପାଇବାରେ ଲାଗିଛି । ଚୀନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଚୀନର ଦକ୍ଷିଣ‌ରେ ଅବସ୍ଥିତ ଏହି ସହରରେ ହଠାତ୍ କରୋନା ସଂକ୍ରମଣ ଦେଖାଯିବା ଚିନ୍ତାର ବିଷୟ ପାଲଟିଛି। ମେ ୩୦ ତାରିଖରେ ଏହି ପ୍ରଦେଶର ରାଜଧାନୀ ଗୁଆଙ୍ଗଝୁରେ କରୋନା ସଂକ୍ରମଣ ଦେଖାଦେବା ପରେ ସ୍ଥାନୀୟ ପ୍ରଶାସନ ସେଠାରେ ଲକ୍‌ଡାଉନ୍ ଲାଗୁ କରିଛି। କିନ୍ତୁ ଚାଇନାର ଗୁଆଙ୍ଗଡଙ୍ଗ ପ୍ରଦେଶରେ ହଠାତ୍ ୨୭ ଟି ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୨୦ ଟି ମାମଲା ସ୍ଥାନୀୟ ଲୋକଙ୍କ ସଂକ୍ରମଣ ସହ ଜଡିତ ଥିବାବେଳେ ୭ ଟି ବାହ୍ୟ ସଂକ୍ରମଣ ବୋଲି କୁହାଯାଇଛି ।

ଏହି ସଂକ୍ରମଣ ଦେଖାଦେବା ପରେ କର୍ତ୍ତୃପକ୍ଷ ରାଜଧାନୀର ଲିୱାନ ଜିଲ୍ଲାର କେତେକ ଅଂଚଳର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଅଣ ଅତ୍ୟାବଶ୍ୟକ କାର୍ଯ୍ୟ ଉପରେ କଟକଣା ଲଗାଇ ଦେଇଛନ୍ତି । ଏଥିସହିତ ସେଠାକାର ବଜାର ଏବଂବିଭିନ୍ନ ଆମୋଦପ୍ରମୋଦ ସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏହା ସହିତ ରେଷ୍ଟୁରାଣ୍ଟ ଏବଂ ସ୍କୁଲଗୁଡିକ ମଧ୍ୟ ବନ୍ଦ କରିଦିଆ ଯାଇଛି । ଗୁଆଙ୍ଗଜୋରେ ଏହି ନୂଆ ମାମଲା ଟି ୭୫ ବର୍ଷ ବୟସ୍କ ବୃଦ୍ଧଙ୍କ ସହ ଜଡିତ ଅଛି ବୋଲି କୁହାଯାଉଛି । ଏହି ବୃଦ୍ଧ ବ୍ୟକ୍ତି ମେ ୨୧ ରେ ନୂତନ ପ୍ରକାରରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମାତ୍ର ଏହି ପ୍ରକାର ସଂକ୍ରମଣଟି ପ୍ରଥମେ ଭାରତରେ ମିଳିଥିବାର ସୂଚନା ମିଳୁଛି ।

ସୂଚନାଯୋଗ୍ୟ, ୨୦୧୯ରେ ଚୀନର ବୁହାନ ସହରରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ସାରା ବିଶ୍ୱରେ ତାଣ୍ଡବ ରଚୁଥିବା ବେଳେ ପୁଣିଥରେ ବଢୁଥିବା ମାମଲାକୁ ଦେଖି ଚୀନବାସୀଙ୍କ ଚିନ୍ତାର ବିଷୟ ପାଲଟିଛି । ୩୦ ତାରିଖ ସୁଦ୍ଧା ଚୀନରେ ମୋଟ୍‌ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୯୧୦୯୯ ଦର୍ଶାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୬୩୬ରେ ଅପରିବର୍ତ୍ତିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.