Below header

କରୋନା ଯୋଗୁ ଗଞ୍ଜେଇ ଦୋକାନ ସାମ୍ନାରେ ଲାଇନ୍‌ ଲଗାଉଛନ୍ତି ଲୋକେ, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆର ଲୋକ ଆତଙ୍କିତ ଅଛନ୍ତି। ଏଥିରୁ ବଞ୍ଚିବାକୁ ଲୋକେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। ଇଟାଲୀରେ ଲୋକମାନେ ଘର ବନ୍ଦ କରି ଗୀତ ବଜାଉଥିବା ବେଳେ ନେଦରଲାଣ୍ଡରେ ଲୋକମାନେ ଅଜବ କାମ କରୁଥିବା ଦେଖାଯାଇଛି। ସେଠାରେ ଲୋକମାନେ ଗଞ୍ଜେଇ ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେମାନେ ଏମିତି କରିବାର କାରଣ କ’ଣ…

netherland2

ନେଦରଲାଣ୍ଡରେ ଗଞ୍ଜେଇ ଦୋକାନକୁ କଫି ସପ୍‌ ବୋଲି କୁହାଯାଏ। ଏହି ଦୋକାନରେ ଖୋଲାଖୋଲି ଗଞ୍ଜେଇ ବିକ୍ରି କରାଯାଏ। ମାତ୍ର ଏଠାରେ ସୀମିତ ପରିମାଣରେ ଗଞ୍ଜେଇ କିଣିବା ନିୟମ ରହିଛି। ଗତ କିଛି ଦିନ ହେବ ସନ୍ଧ୍ୟାବେଳେ ଏହି ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ ଲାଗୁଛି।

ନେଦରଲାଣ୍ଡରେ ଏବେ ପର୍ଯ୍ୟନ୍ତ ହଜାରେରୁ ଊର୍ଦ୍ଧ୍ୱ କରୋନା ମାମଲା ସାମ୍ନାକୁ ଆସିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିସାରିଲାଣି। ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି।

netherland3

ତେବେ କରୋନା ଯୋଗୁ ନେଦରଲାଣ୍ଡର ଦୋକାନ, ବଜାର, ମଲ, ସ୍କୁଲ, କଲେଜ, ଅଫିସ ଆଦି ବନ୍ଦ ରହିଛି। ସରକାର ସମସ୍ତ ରେସ୍ତୋରାଁ, ବାର ଓ କଫି ସପ୍‌କୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳିସ୍ଥିତିରେ ଚରସ ଓ ଗଞ୍ଜେଇ ନ ମିଳିବା ଆଶଙ୍କାରେ ଲୋକେ ବହୁ ପରିମାଣରେ ଗଞ୍ଜେଇ କିଣି ଜମା କରିବାକୁ ଲାଇନ୍‌ ଲଗାଇଛନ୍ତି। ଜଣେ ଗ୍ରାହକଙ୍କ କହିବାନୁସାରେ ଆଗାମୀ କିଛି ମାସ ପର୍ଯ୍ୟନ୍ତ ସମ୍ଭବତଃ ଆମେ ଚରସ କିଣିପାରିବୁ ନାହିଁ, ତେଣୁ ଏବେଠୁ କିଣିକି ରଖିଛୁ।

ତେବେ କେବଳ ଏହି ନିଶାଦ୍ରବ୍ୟ ବିକ୍ରି ଦୋକାନ ନୁହେଁ ଲୋକମାନେ ଏବେ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଟଏଲେଟ୍‌ ପେପର ମଧ୍ୟ କିଣି ରଖୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.