Below header

ମାଡିଆସୁଛି କୋରନା ଭାଇରସ୍‌, ଭାରତରେ ୧୨ ଜଣ ହେଲେଣି ଆକ୍ରାନ୍ତ, ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ଭାରତକୁ ଘାରିଛି କୋରନା ଭାଇରସ ସଂକ୍ରମଣର ଭୟ। ଭାରତରେ ୧୨ ଜଣଙ୍କ ଦେହରେ ଚିହ୍ନଟ ହେଲାଣି ଏହି ଭାଇରସ୍‌। ଏମାନଙ୍କ ମଧ୍ୟରେ କେରଳର ସାତ ଜଣ ଥିବା ବେଳେ ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବଦରୁ ଜଣେ ଲେଖାଏଁ ଅଛନ୍ତି। ପ୍ରତିଦିନ ଚୀନ୍‌ରୁ ଶହଶହ ଯାତ୍ରୀ ଭାରତ ଆସୁଥିବାରୁ ସଂକ୍ରମଣ ବଢିବାର ଯଥେଷ୍ଟ ଆଶଂକା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଜରୁରିକାଳୀନ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଗଠନ କରି ଥର୍ମାଲ ସ୍କ୍ରିନିଂ ହେଉଥିବା ୭ ଟି ରାଜ୍ୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିରେ ଥର୍ମାଲ ସ୍କ୍ରିନିଂ ଚାଲିଛି। ପ୍ରାୟ ୧୦୦ଟି ବିମାନରେ ଆସିଥିବା ୨୦ ହଜାରରୁ ଅଧିକ ଯାତ୍ରୀଙ୍କୁ ଯାଂଚ କରାଯାଇଛି। ଚୀନ୍‌ ଯାତ୍ରୀଙ୍କ ପାଇଁ ମଧ୍ୟ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସେପଟେ କରୋନାକୁ ନେଇ ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର । କରୋନା ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସପିଟାଲ ଗୁଡିକୁ ଚିଠି ଲେଖାଯାଇଛି । ଭୁବନେଶ୍ୱର ଓ ଝାରସୁଗୁଡା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ବିଦେଶରୁ ଆସୁୂଥିବା ଘାତକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏଥିସହ ଏସସିିବି, ବୁର୍ଲା ଓ କ୍ୟାପିଟାଲ ହସପିଟାଲରେ ସ୍ୱତନ୍ତ୍ର ଓ୍ଵାର୍ଡ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି । ସେହପରି ପାରାଦୀପ ବନ୍ଦର ଓ ରେଲେଓ୍ଵକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି । ଡାକ୍ତରଖାନାରେ ଔଷଧ ଓ ଆବଶ୍ୟକୀୟ ଉପକରଣ ରଖିବାକୁ କୁହାଯାଇଛି । ସ୍ୱଛତା ଉପରେ ଧ୍ୟାନ ଦେବା ସହ ସବୁବେଳେ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ସେହିପରି କାସିବା କିମ୍ବା ଛିଙ୍କିବା ବେଳେ ନାକ ଓ ପାଟିକୁ ଘୋଡାଇ ରଖିବାକୁ କୁହାଯାଇଛି। ଅସୁସ୍ଥ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ନିଜେ ଅସୁସ୍ଥ ଥିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି। ପଶୁଙ୍କ ସଂସ୍ପର୍ଶରେ ନଆସିବାକୁ ଦିଆଯାଇଛି ପରାମର୍ଶ। ବିମାନରେ ଆସିବା ବେଳେ ଅସୁସ୍ଥ ଅନୁଭବ କଲେ ତୁରନ୍ତ କ୍ରିଉ ସଦସ୍ୟଙ୍କୁ ଜଣାଇବାକୁ କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.