ଚଳିତ ବର୍ଷ କରୋନା ମହାମାରୀର ଅନ୍ତ ଘଟିବ! ଭରସା ଦେଲା WHO; କିନ୍ତୁ ରଖିଲା ଏହି ସର୍ତ୍ତ

ବିଶ୍ୱ ଗତ ୨ ବର୍ଷ ଧରି କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ ସହିତ ଲଢ଼େଇ କରି ଆସୁଛି। ଏମିତି ପରିସ୍ଥିତିରେ ଏବେ ସମସ୍ତେ କରୋନା ଭାଇରସକୁ ନେଇ ଥକି ପଡ଼ିଲେଣି। ଲୋକମାନେ ଏହା ଚିନ୍ତା କରୁଛନ୍ତି ଯେ ଚୀନର ବୁହାନରୁ ବ୍ୟାପିଥିବା ଏହି ମହାମାରୀର ଅନ୍ତ କେବେ ହେବ, ଯାହାର ଉତ୍ତର ଏବେ ମିଳି ଯାଇଛି। ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଡାକ୍ତର ଟେଡ୍ରୋସ୍ ଅଧାନୋମ୍ ଘେବ୍ରେୟେସସ୍‌ ୨୦୨୨ରେ ହିଁ ଏହି ମହାମାରୀ ଚାଲିଯିବାକୁ ନେଇ ଭରସା ଦେଖାଇଛନ୍ତି। କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ଯେମିତି ଆରମ୍ଭରୁ କୁହାଯାଇ ଆସୁଛି କି, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି କେବଳ କରୋନା ଭ୍ୟାକ୍ସିନ। ବର୍ତ୍ତମାନ ସେଠି ଟେଡ୍ରୋସ୍ ଅଧାନୋମ୍ କହିଛନ୍ତି, ୨୦୨୨ କରୋନା ମହାମାରୀର ଶେଷ ବର୍ଷ ହୋଇପାରେ, କିନ୍ତୁ ଏଥିପାଇଁ ବିକଶିତ ଦେଶଗୁଡିକୁ ନିଜ ଭ୍ୟାକ୍ସିନକୁ ଅନ୍ୟ ଦେଶଗୁଡ଼ିକ ସହିତ ସେୟାର କରିବାକୁ ହେବ। ସେତେବେଳେ ଆମେ ଏହି ସଂକ୍ରମଣରୁ ମୁକ୍ତି ପାଇ ପାରିବା।

ଏଥି ସହିତ ସେ କହିଛନ୍ତି ଯେ କରୋନା ଭାଇରସ୍‌ ନିଜର ତୃତୀୟ ବର୍ଷରେ ପ୍ରବେଶ କରି ସାରିଛି। ଏଭଳି ସ୍ଥିତିରେ ଅଧିକରୁ ଅଧିକ ଭ୍ୟାକ୍ସିନ ପଲିସିକୁ ଆମକୁ ଲାଗୁ କରିବାକୁ ପଡ଼ିବ। ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ WHO ମୁଖ୍ୟ କହିଛନ୍ତି, ଏହି ବର୍ଷ ଶେଷ ସୁଦ୍ଧା ମହାମାରୀର ଅନ୍ତ ଘଟିବ, କିନ୍ତୁ ଗୁପ୍ତ ଭାବେ ଗଚ୍ଛିତ ଥିବା ଟିକା ଏଥିରେ ପ୍ରତିବନ୍ଧକ ସାଜିପାରେ। ଏହିଭଳି ଭାବେ ଟିକାକରଣର ଅସମାନତା ହିଁ ଓମିକ୍ରନ୍ ଭାରିଆଣ୍ଟକୁ ବୃଦ୍ଧି କରିବାକୁ ଅନୁମତି ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକାକରଣର ଯେତିକି ଅସମାନତା ରହିବ, ସେତିକି ହିଁ ଅଧିକ ବିପଦ ଲାଗି ରହିବ।

Who

ଟେଡ୍ରୋସ୍ ଅଧାନୋମ୍ ନିଜ ବିବୃତ୍ତିରେ କହିଛନ୍ତି, ଯଦି ଆମେ ଟିକା ବିତରଣରେ ଅସମାନତା ଦୂର କରି ଦେବା, ତା’ ହେଲେ ମହାମାରୀର ଅନ୍ତ ସମ୍ଭବ। ଗ୍ଲୋବାଲ୍ ଭ୍ୟାକ୍ସିନ୍ ଫ୍ୟାସିଲିଟି COVAX, WHO ଏବଂ ଆମର ସହଯୋଗୀ ସାରା ବିଶ୍ୱରେ ସେହି ଲୋକଙ୍କ ପାଇଁ ଟିକା, ପରୀକ୍ଷା ଓ ଚିକିତ୍ସାକୁ ସୁଲଭ କରେଇବାର କାମ କରୁଛନ୍ତି, ଯେଉଁମାନଙ୍କୁ ଏହାର ଆବଶ୍ୟକତା ରହିଛି। ସେ ଆହୁରି କହିଥିଲେ ଯେ ଟିକା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି। ଡାକ୍ତରଙ୍କ ପାଖରେ ଏବେ କୋଭିଡ-୧୯ରୁ ରକ୍ଷା ପାଇବା ତଥା ଚିକିତ୍ସା ପାଇଁ ନୂତନ ଔଷଧ ଏବଂ ମେଡିକାଲ ଉପକରଣ ମଧ୍ୟ ଉପଲବ୍ଧ ରହିଛି।

ବିଶ୍ୱର ଅଧିକାଂଶ ଭାଗ ଟିକା ନେବା ମାମଲାରେ ପଛରେ

ଟେଡ୍ରୋସ୍ କହିଛନ୍ତି, ସର୍ବଶେଷ ଆକଳନରୁ ଜଣାପଡିଛି ଯେ ବିଶ୍ୱର ଅଧିକାଂଶ ଭାଗ ଟିକା ନେବା ମାମଲାରେ ପଛରେ ରହିଛି। ଏଥିରେ ବୁରୁଣ୍ଡି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଚାଡ୍ ଏବଂ ହୈତି ଭଳି ଦେଶ ଅନ୍ତର୍ଭୁକ୍ତ ରହିଛନ୍ତି। ଏହି ଦେଶଗୁଡିକରେ ସଂପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଏକ ପ୍ରତିଶତରୁ ବି କମ୍। ଯେତେବେଳେ କି, ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ ଏହି ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ଏପରି ପରିସ୍ଥିତିରେ ଟିକାକରଣର ଅସମାନତାରୁ ମୁକୁଳିବା ପରେ ହିଁ ଆମେ ଏକ ସାଧାରଣ ଜୀବନକୁ ଫେରିବାର କଳ୍ପନା କରି ପାରିବା।