ସୁରତରେ ୨୪ ଘଣ୍ଟା ହେଉଛି ଅନ୍ତିମ ସଂସ୍କାର, ତରଳି ଯାଉଛି ଶବଦାହ ପାଇଁ ପ୍ରସ୍ତୁତ ହୋଇଥିବା ଭାଟି

କରୋନାର ଦ୍ବିତୀୟ ଲହରୀ ଦିନକୁ ଦିନ ବଢିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଲାଣି। କେଉଁଠି ଶବ ପୋଡିବାକୁ ଜାଗା ନାହିଁ ତ ଆଉ କେଉଁଠି ହସପିଟାଲରେ ବେଡ ନାହିଁ। ଗୁଜୁରାଟରେ ସ୍ଥିତି ବେଶ ଦୟନୀୟ ହୋଇପଡିଛି। ଖବର ମୁତାବକ, ଏଠାରେ ଥିବା ଶବଦାହ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଭାଟି ତରଳି ଯାଇଛି ।
ସହରରେ ତିନୋଟି ପ୍ରମୁଖ ଶ୍ମଶାନ ଗୃହ ରହିଛି । ରାମନାଥ ଘେଲା, ଅଶ୍ୱୀନକୁମାର ଏବଂ ଜାହାଙ୍ଗୀରପୁରା ଶ୍ମଶାନ । ଏହି ତିନୋଟି ସ୍ଥାନରେ ୨୪ ଘଣ୍ଟା ଶବଗୁଡ଼ିକର ଅନ୍ତିମ ସଂସ୍କାର ଜାରି ରହିଛି । ଏହି କାରଣରୁ ଶବ ପୋଡ଼ିବା ପାଇଁ ଶ୍ମଶାନରେ ରହିଥିବା ଭାଟି ତରଳି ଯାଇଛି । ଗତ ୮-୧୦ ଦିନ ହେଲାଣି ଲଗାତାର ଶବ ଆସିବାରୁ ଏମିତି ଘଟଣା ଦେଖିବାକୁ ମିଳିଛି।
ଶବ ଗୁଡ଼ିକୁ ଦାହ କରିବା ପାଇଁ ଅନେକ ଆଧୁନିକ ମେଶିନ୍ ସହ ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି । ରାତିସାରା ଶବଦାହ କରାଯାଉଥିବା ଗ୍ୟାସ ଚୁଲାଗୁଡ଼ିକ ଚାଲୁ ରହିଛି । ଏହି କାରଣରୁ, ଚୁଲିର କିଛି ଅଂଶ ତରଳି ଯାଇଛି । ସୁରତରେ ଥିବା ତିନୋଟି ଶ୍ମଶାନ ଗ୍ୟାସ୍ ଚୁଲିର ଗ୍ରିଲ୍ ତରଳି ଯାଇଥିବା ଦେଖିବାକୁ ମିଳିଛି।

ଅଧିକରୁ ଅଧିକ ଶବ ସୁରତର ରାମନାଥ ଗେଲା ଶ୍ମଶାନରେ ପହଞ୍ଚୁଛି । ଏଭଳି ପରିସ୍ଥିତିରେ ଶବଦାହର ମୁଖ୍ୟ ହରିଶଭାଇ ଉମ୍ରିଗର କହିଛନ୍ତି ଯେ, ପ୍ରତ୍ୟେକ ଦିନ ୧୦୦ଟି ଶବ ଦାହ ପାଇଁ ଆସୁଛି । ଏହି କାରଣରୁ, ଗ୍ୟାସ୍ ଚୁଲା ୨୪ ଘଣ୍ଟା ଚାଲୁରହିଛି । ରାତିବେଳେ ମଧ୍ୟ ବନ୍ଦ ରହୁନାହିଁ । ଗରମ ହେତୁ ଗ୍ୟାସ ଚୁଲିରେ ଥିବା କୋଣଗୁଡ଼ିକ ମଧ୍ୟ ତରଳି ଯାଇଛି ।
ଏହାଛଡା ଅଶ୍ବୀନ କୁମାର ଶ୍ମଶାନରେ ଦୁଇଟି ଭାଟି କାମ କରୁନାହିଁ। ସେଠି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସୁରତରେ ଶ୍ମଶାନ ୨୪ ଘଣ୍ଟା କାମ କରୁଛି। ଏହାବ୍ଯତୀତ ୮ରୁ ୧୦ ଘଣ୍ଟା ପର୍ଯ୍ଯନ୍ତ ଲୋକ ଅପେକ୍ଷା କରିବାକୁ ପଡୁଛି। ଏହାଛଡା ନିଜ ଲୋକଙ୍କ ଦାହ ସଂସ୍କାର କରିପାରୁନାହାନ୍ତି, ତେଣୁ ଚିଠଉ ଲେଖି ଚାଲିଯାଉଛନ୍ତି, ସମୟ ଆସିଲେ ଆସି ଦାହ କରୁଛନ୍ତି।