G20 ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଲାଗିଲା ମାଙ୍କଡ଼ର କଟ୍‌ଆଉଟ୍‌, ପାଟିରେ ଶବ୍ଦ ସୃଷ୍ଟି କରିପାରୁଥିବା ବିଶେଷଜ୍ଞ ମୁତୟନ

ଦିଲ୍ଲୀରେ ଜି୨୦ ସମ୍ମିଳନୀ ସମୟରେ ମାଙ୍କଡ଼ଙ୍କୁ ଦୂରେଇ ରଖିବା ପାଇଁ ସ୍ଥାନେ ସ୍ଥାନେ କଟ୍‌ଆଉଟ୍‌ ଲଗାଯାଇଛି। ପ୍ରତ୍ୟେକ କଟ୍‌ଆଉଟ ସହିତ ଜଣେ ଲେଖାଏ ବିଶେଷଜ୍ଞଙ୍କୁ ମୁତୟନ କରାଯାଇଛି।

ଦିଲ୍ଲୀରେ ଜି୨୦ ସମ୍ମିଳନୀ ସମୟରେ ମାଙ୍କଡ଼ଙ୍କୁ ଦୂରେଇ ରଖିବା ପାଇଁ ସ୍ଥାନେ ସ୍ଥାନେ କଟ୍‌ଆଉଟ୍‌ ଲଗାଯାଇଛି। ପ୍ରତ୍ୟେକ କଟ୍‌ଆଉଟ ସହିତ ଜଣେ ଲେଖାଏ ବିଶେଷଜ୍ଞଙ୍କୁ ମୁତୟନ କରାଯାଇଛି, ଯେଉଁମାନେ ପାଟିରେ ମାଙ୍କଡ଼ ପରି ଶବ୍ଦ ସୃଷ୍ଟି କରି ମାଙ୍କଡ଼ମାନଙ୍କୁ ଭୟଭୀତ କରିବେ।

ଦିଲ୍ଲୀରେ ମାଙ୍କଡ଼ଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଜନବସତି ଅଞ୍ଚଳ ବ୍ୟତୀତ ବଡ଼ ବଡ଼ ଅଫିସ୍‌ ଏବଂ ଐତିହାସିକ ସ୍ଥାନମାନଙ୍କରେ ମାଙ୍କଡ଼ମାନେ ଉତ୍ପାତ କରୁଛନ୍ତି। ଦିଲ୍ଲୀର ଲୁଟିୟନ୍ସ ଜୋନ୍‌ ମଧ୍ୟ ମାଙ୍କଡ଼ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହି ସ୍ଥାନରେ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ ଆବାସ ସହ ନେତା, ମନ୍ତ୍ରୀଙ୍କ ବଙ୍ଗଳା ରହିଛି। ବେଳେବେଳେ ଲୋକମାନେ ମଧ୍ୟ ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି।

ତେଣୁ ଏଭଳି ସ୍ଥିତିରେ ଯେପରି ବିଦେଶୀ ଅତିଥିମାନେ ମାଙ୍କଡ଼ ଆକ୍ରମଣର ଶିକାର ନ ହେବେ, ସେଥିପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲ୍‌ କାଉନ୍‌ସିଲ ଏବଂ ଫରେଷ୍ଟ୍‍ ଡିପାର୍ଟମେଣ୍ଟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ମ୍ୟୁନିସିପାଲ୍‌ କାଉନ୍‌ସିଲର ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ କହିଛନ୍ତି ଯେ ସର୍ଦ୍ଦାର ପଟେଲ୍‌ ମାର୍ଗ ସହ ଅନ୍ୟାନ୍ୟ ଅଞ୍ଚଳରେ ୧୨ରୁ ଅଧିକ କଟ୍‌ଆଉଟ ଲଗାଯାଇଛି। ଏୟାରପୋର୍ଟରେ ଓହ୍ଲାଇବା ପରେ ଡେଲିଗେଟ୍ସ ଏହି ରାସ୍ତା ଦେଇ ହୋଟେଲ ଏବଂ ସମ୍ମିଳନୀ ସ୍ଥଳକୁ ଯିବେ। ବିଦେଶୀ ଅତିଥି ରହୁଥିବା ହୋଟେଲମାନଙ୍କରେ ବି ଗୋଟିଏ ଗୋଟିଏ ମାଙ୍କଡ଼ର କଟ୍‌ଆଉଟ ରଖାଯିବ।

କହି ରଖୁଛୁ, ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ରାଷ୍ଟ୍ରପତି ଋଷି ସୁନକଙ୍କ ସମେତ ଅନେକ ଗ୍ଲୋବାଲ୍‌ ଲିଡର୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.