ଦିଲ୍ଲୀ ହତ୍ଯାକାଣ୍ଡରୁ ହଟିଲା ପରଦା: ଏହା ରହିଥିଲା ରହସ୍ଯ

delhiନୂଆଦିଲ୍ଲୀ: ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣାରୁ ହଟିଛି ପରଦା। ଘର ଭିତରୁ ଜବତ ହୋଇଥିବା ରେଜିଷ୍ଟରର ପ୍ରତିଟି ଶବ୍ଦକୁ ଯାଞ୍ଚ କରୁଛି ପୋଲିସ। ଏବେ ରେଜିଷ୍ଟରରେ ଲେଖାଥିବା ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଭାଟିଆ ପରିବାରର ସାନ ପୁଅ ଲଳିତ ଲେଖିଥିଲେ ମୃତ୍ୟୁର କାହାଣୀ। ଆଉ ମାର୍ଗଦର୍ଶକ ଥିଲେ ତାଙ୍କ ମୃତ ବାପା। ତାଙ୍କ ବାପାଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା। ସେ ସ୍ୱପ୍ନରେ ଆସି ଲଳିତଙ୍କୁ କହୁଥିଲେ, କଣ କରିବାକୁ ହେବ ଓ କେମିତି କରିବାକୁ ହେବ। ରେଜିଷ୍ଟରରେ ଲେଖାଯାଇଛି ଏସବୁ କଥା।

‘ବାପା କହିଛନ୍ତି, ଶେଷ ସମୟରେ ଝଟକା ଲାଗିବ, ଆକାଶ ଦୋହଲିବ, ପୃଥିବୀ ଦୋହଲିବ, ହେଲେ ତୁ କେବେ ଡରିବୁ ନାହିଁ। ମନ୍ତ୍ର ଅଧିକ ଜପ କରିବୁ। ମୁଁ ତତେ ବଞ୍ଚାଇ ଦେବି। ଯେତେବେଳେ ପାଣିର ରଙ୍ଗ ବଦଳିବ, ସେତେବେଳେ ତୁ ତଳକୁ ଓହ୍ଲାଇଯିବୁ। ଜଣେ ଅନ୍ୟ ଜଣଙ୍କୁ ତଳକୁ ଓହ୍ଲାଇବାକୁ ସାହାଯ୍ୟ କରିବ। ତୁ କେବେ ମରିବୁନି ବରଂ କିଛି ଗୋଟିଏ ବଡ଼ ଜିନିଷ ତତେ ମିଳିବ’। ଏହା ସହ ରେଜିଷ୍ଟରରେ ବରଗଛ ମୂଳରେ ସାବିତ୍ରୀ ପୂଜା କଥା ମଧ୍ୟ କୁହାଯାଇଛି। ଭାଟିଆ ପରିବାର ବରଗଛ ନିକଟରେ ମଧ୍ୟ ତପସ୍ୟା କରିବାକୁ ପ୍ରୟାସ କରିଥିଲେ। ଯଦି କେହି ସ୍ୱତନ୍ତ୍ର ରୀତିନୀତିର ପାଳନ କରିଥାଏ, ତେବେ ସେମାନଙ୍କ ସମସ୍ୟା ଦୂର ହୁଏ ଓ ଭଗବାନ ପ୍ରସନ୍ନ ହୋଇଥାନ୍ତି ବୋଲି ଏଥିରେ ଲେଖା ହୋଇଛି।
delhiଏଥିପାଇଁ ପରିବାରର ସମସ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ସେମିତି ଚିତ୍ର ରେଜିଷ୍ଟରରେ ମଧ୍ୟ ରହିଛି। ବରଗଛ ପୂଜା ସାବିତ୍ରୀ ପୂର୍ଣ୍ଣମୀରେ କରାଯାଇଥାଏ। ଗତ ୨୭ ଓ ୨୮ ଜୁନରେ ପୂର୍ଣ୍ଣମୀ ଥିଲା। ତେଣୁ ଏହି ଦୁଇ ଦିନ ଭାଟିଆ ପରିବାର ପୂଜା ଓ ହୋମ କରିଥିଲେ। ୩୦ ତାରିଖରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଗତ ରବିବାର ବୁରାଡ଼ି ସନ୍ଥନଗର ଅଞ୍ଚଳରେ ଗୋଟିଏ ଘରୁ ୧୧ଟି ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ଜଣ ପୁରୁଷ ଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.