ତିହାର ଜେଲ୍‌ର ଡିଜି ସନ୍ଦୀପ ଗୋଏଲ ପଦରୁ ହଟିଲେ; ସତ୍ୟେନ୍ଦ୍ର ଜୈନଙ୍କୁ ସୁବିଧା ଦେବା ଉପରେ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ତିହାର ଜେଲ୍‌ର ଡିଜି ସନ୍ଦୀପ ଗୋଏଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପଦରୁ ହଟାଇ ଦିଆଯାଇଛି। ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍‌ ଭିତରେ ସ୍ପେଶାଲ ସୁବିଧା ଦିଆଯିବା ଅଭିଯୋଗ ପରେ ଡିଜିଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଥାଉ କି, ତିହାର ଜେଲରେ ଆମ୍‌ ଆଦ୍‌ମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅଏସ୍‌ ଆରାମର ଜୀବନ ବିତାଉଥିବା ନେଇ ଇଡି କୋର୍ଟଙ୍କ ନିକଟରେ ଅଭିଯୋଗ କରିଥିଲା।

ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଆରାମଦାୟକ ଜୀବନର ସିସିଟିଭି ଫୁଟେଜ ଇଡି କୋର୍ଟରେ ହସ୍ତାନ୍ତର କରିଥିଲା। ଅଭିଯୋଗରେ ଇଡି କହିଥିଲା ଯେ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ହେଡ୍‌ ମସାଜ, ଫୁଟ୍‌ ମସାଜ ଏବଂ ବ୍ୟାକ୍‌ ମସାଜ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଯାଉଛି। ସିସିଟିଭି ଫୁଟେଜ ମୁତାବକ, ଜେଲ୍‌ ସୁପରିଟେଣ୍ଡେଣ୍ଟ ପ୍ରତ୍ୟେକ ଦିନ ନିୟମ ଉଲ୍ଲଂଘନ କରି ସତ୍ୟେନ୍ଦ୍ର ଜୈନଙ୍କୁ ଭେଟୁଛନ୍ତି।

କୋର୍ଟଙ୍କ ଆଦେଶ ଅବମାନନା କରାଯାଇ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଘର ଖାଦ୍ୟ ଜେଲରେ ଉପଲବ୍ଧ କରାଯାଉଛି। ଜେଲ ମାନୁଆଲ ଉଲ୍ଲଂଘନ କରି ତାଙ୍କ ପତ୍ନୀ ପୁନମ୍‌ ଜୈନ ସ୍ୱାମୀଙ୍କୁ ସେଲରେ ପ୍ରାୟତଃ ଭେଟିବାକୁ ଆସୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭୁଲ୍‌। ସିସିଟିଭି ଫୁଟେଜ ମୁତାବକ, ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଅଙ୍କୁଶ ଜୈନ ଓ ବୈଭବ ଜୈନ ମଧ୍ୟ ତିହାର ଜେଲରେ ଅଛନ୍ତି। ସେମାନଙ୍କ ସହିତ ସତ୍ୟେନ୍ଦ୍ର ଜୈନ ପ୍ରାୟ ସମୟ ନିଜ ସେଲ୍‌ରେ ଘଣ୍ଟା ଘଣ୍ଟା ଧରି ମିଟିଂ କରୁଛନ୍ତି, ଯାହାକି ମାମଲାର ତଦନ୍ତ ପାଇଁ ଅନୁକୂଳ ନୁହେଁ ବୋଲି ଇଡି କହିଥିଲା।

ଇଡି ନିଜ ସତ୍ୟପାଠରେ ଏହା ମଧ୍ୟ ଲେଖିଥିଲା ଯେ ସତ୍ୟେନ୍ଦ୍ର ଜୈନ ଜେଲ୍‌ ମନ୍ତ୍ରୀ ବି ଅଛନ୍ତି, ଯାହାର ଭୁଲ୍‌ ଫାଇଦା ସେ ଉଠାଉଛନ୍ତି। ତିହାର ପ୍ରଶାସନ ମୁତାବକ, ଇଡି ସତ୍ୟେନ୍ଦ୍ର ଜୈନଙ୍କ ସେଲ୍‌ ଏବଂ ସେ ଯେଉଁ ଓ୍ଵାର୍ଡରେ ଅଛନ୍ତି, ତା’ର ସିସିଟିଭି ଫୁଟେଜ ଦାବି କରିଥିଲା, ଯାହାପରେ ତିହାର ପ୍ରଶାସନ ତାଙ୍କୁ ଉପଲବ୍ଧ କରାଇଥିଲା। ପ୍ରଶାସନର କହିବା ହେଲା ଯେ ସତ୍ୟେନ୍ଦ୍ର ଜୈନଙ୍କ ସେଲରେ ବାହାରୁ କେହି ଆସି ନାହାନ୍ତି। ସକାଳେ ଯେତେବେଳେ କାଉଣ୍ଟିଙ୍ଗ୍‌ ଓପନ୍‌ ହୁଏ, ସେହି ସମୟରେ ଓ୍ଵାର୍ଡରେ ଉପସ୍ଥିତ ସମସ୍ତ କଏଦୀ ପରସ୍ପର ସହ କଥା ହୋଇ ଥାଆନ୍ତି।

ଏହି ମାମଲାରେ ଯାହାଙ୍କ ସହ ଅଭିଯୁକ୍ତଙ୍କର କଥା ହୋଇଥିବା କଥା କୁହାଯାଉଛି, ସେମାନେ ମଧ୍ୟ ସେହି ଓ୍ଵାର୍ଡରେ ଅଛନ୍ତି, ଯେଉଁଠି ସତ୍ୟେନ୍ଦ୍ର ଜୈନ ରହୁଛନ୍ତି। ତେଣୁ ସେମାନେ ପରସ୍ପର ସହ କଥା ହୋଇ ପାରିବେ ଜେଲ୍‌ ପ୍ରଶାସନ କହିଥିଲା। କାଉଣ୍ଟିଙ୍ଗ୍‌ ପରେ ଯେତେବେଳେ ସମସ୍ତେ ନିଜ ନିଜ ସେଲ୍‌କୁ ଚାଲି ଯାଆନ୍ତି, ସେତେବେଳେ ଜଣେ ଆଉ ଜଣଙ୍କ ସେଲ୍‌କୁ ଯାଇ ପାରିବ ନାହିଁ। ତେବେ ପ୍ରଶାସନ କୌଣସି ବି ପ୍ରକାର ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌କୁ ଅସ୍ୱୀକାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.