Below header

ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପ୍ରଜ୍ଞା ସିଂ ଠାକୁର କିନ୍ତୁ ବିଜେପି କହିଲା କାର୍ଯ୍ୟାନୁଷ୍ଠାନ ନେବୁନାହିଁ

ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ନେଇ ପୁଣି ବିବାଦ। ଡ୍ରେନ ବା ନାଳ ନର୍ଦ୍ଦମା ସଫା କରିବା ପାଇଁ ସେ ସାଂସଦ ହୋଇ ନାହାନ୍ତି। ବିଧାୟକ, କର୍ପୋରେଟର ଓ ଲୋକ ପ୍ରତିନିଧିଙ୍କ ସହ ମିଶି ବିକାଶମୂଳକ କାମ କିପରି ହେବ, ତାହା ହେଉଛି ତାଙ୍କର କାମ। ରବିବାର ଭୋପାଳରେ ଏକ ସଭାରେ ଯୋଗଦେଇ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେପଟେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହିବା ଘଟଣାରେ ମଧ୍ୟ ବିଜେପି ତାଙ୍କୁ ଛାଡ କରିଦେଇଛି। ତାଙ୍କ ବିରୋଧରେ ବିଜେପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଗତ ମେ ମାସରେ ନିର୍ବାଚନର ଠିକ କିଛି ଦିନ ପୂର୍ବରୁ ପ୍ରଜ୍ଞା ସିଂ ଠାକୁର ନାଥୁରାମ ଗଡ୍‌ସେଙ୍କୁ ଦେଶ ଭକ୍ତ କହି ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରବଳ ହୋହାଲ୍ଲା ହୋଇଥିଲା। ଚାପ ପଡିବା ପରେ ବିଜେପି ତାଙ୍କୁ କ୍ଷମା ପ୍ରାର୍ଥନା ମାଗିବାକୁ କହିଥିଲା। ମେ ୧୭ରୁ ମେ ୨୭ ତାରିଖ ମଧ୍ୟରେ କ୍ଷମା ମାଗିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଜ୍ଞା ସିଂ ଠାକୁର ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଚିଠି ଲେଖି କ୍ଷମା ମାଗିଥିଲେ। ୨୦୦୮ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ଜାମିନରେ ଆସିବା ପରେ ପ୍ରଜ୍ଞା ଭୋପାଳ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ବେଳେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ଦେଇପାରିବେ ନାହିଁ ବୋଲି କହିଥିଲେ। ଗାନ୍ଧୀଜୀଙ୍କ ସଂପର୍କରେ ଦେଇଥିବା ମନ୍ତବ୍ୟକୁ ସେ ନିନ୍ଦା କରିବା ସହ କୌଣସି ସଭ୍ୟ ସମାଜ ଏଭଳି ମନ୍ତବ୍ୟକୁ ଗ୍ରହଣ କରିବ ନାହିଁ ବୋଲି କହିଥିଲେ। କିନ୍ତୁ ବିଜେପି ଏବେ ପ୍ରଜ୍ଞା ସିଂ ଠାକୁରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.