କାଳ ହେଲା ସମାନ ନାଁ: ପ୍ରକୃତ ରୋଗୀ ବଦଳରେ ଜ୍ୱର ପୀଡ଼ିତଙ୍କ ଅପରେସନ୍‌ କରିଦେଲେ ଡାକ୍ତର, ହସ୍ପିଟାଲରେ ମୃତ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଡାକ୍ତର ଯାହା ବି ପରାମର୍ଶ ଦେଇଥାନ୍ତି ବା କହିଥାନ୍ତି ତାହାକୁ ଆମେ ଆଖି ବୁଜି ବିଶ୍ୱାସ କରିଥାଉ। କିନ୍ତୁ ଏହି ଡାକ୍ତରଙ୍କ ଅବହେଳାରୁ ଏବେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଜଣେ ରୋଗୀର ଜୀବନ ଯାଇଛି। ଏଭଳି ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ। ଏଠାରେ ନାଁ ଯୋଗୁ ଦ୍ୱନ୍ଦ୍ୱରେ ପଡ଼ି ଡାକ୍ତର ଜଣେ ଜ୍ୱର ରୋଗୀର ଅପରେସନ୍‌ କରିଛନ୍ତି, ଯାହା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋଗୀର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରିଥିବା ଜଣାଯାଇଛି।

ସୂଚନାନୁଯାୟୀ, ନରସେନା ଥାନା ଅଧୀନସ୍ଥ ଗାଁ କିରୟାରୀ ନିବାସୀ ୟୁସୁଫ୍‌(୪୪)ଙ୍କୁ ଜ୍ୱର ହେବାରୁ ସେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସୁଧୀର ନର୍ସିଂହୋମ୍‌ରେ ଆଡମିଟ୍‌ ହୋଇଥିଲେ। ତାଙ୍କ ଅବସ୍ଥା ଭଲ ଥିଲା। କିନ୍ତୁ ୨୦ ତାରିଖ ରାତିରେ ଡାକ୍ତରମାନେ ତାଙ୍କ ଅପରେସନ୍‌ କରିଦେଲେ। ପ୍ରଥମେ କୁହାଗଲା ଯେ ୟୁସୁଫ୍‌ଙ୍କର ଗଲ ବ୍ଲାଡର ଅପରେସନ୍‌ ହୋଇଛି। କିନ୍ତୁ ପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ଶରୀରର କୌଣସି ଅଙ୍ଗକୁ ବାହାର କରିବା ପାଇଁ ଏହି ଅପରେସନ୍‌ କରାଯାଇଥିଲା। ତେବେ ଦୁଇଜଣ ରୋଗୀଙ୍କର ଗୋଟିଏ ନାଁ ହୋଇଥିବାରୁ ଏଭଳି ସମସ୍ୟା ହୋଇଥିବା କୁହାଯାଉଛି। ଆଉ ଜଣେ ୟୁସୁଫ୍‌ଙ୍କ ବଦଳରେ ଏହି ବ୍ୟକ୍ତିଙ୍କର ଅପରେସନ୍‌ କରିଦେଇଥିଲେ ଡାକ୍ତର। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଜାଣିବା ପରେ ଗୁରୁବାର ଦିନ ନର୍ସିଂ ହୋମ୍‌ ପରିସରରେ ରୋଗୀଙ୍କ ପରିଜନ ଗଣ୍ଡଗୋଳ କରିଥିଲେ। ଲୋକଙ୍କର ଉଗ୍ରରୂପ ଦେଖି ଡାକ୍ତର ଓ ନର୍ସ ଫେରାର ହୋଇଯାଇଥିଲେ। ଦୀର୍ଘ ସମୟ ଧରି ଲୋକମାନେ ନର୍ସିଂହୋମ୍‌ରେ ହୋ-ହଲ୍ଲା କରିବାରୁ ସ୍ଥାନୀୟ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୋଗ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉକ୍ତ ନର୍ସିଂ ହୋମ୍‌କୁ ସିଲ୍‌ କରିଛନ୍ତି ଓ ସେଠାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସିଫ୍ଟ କରାଯାଇଛି। ଅନ୍ୟପଟେ ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ପୋଲିସ ଅଙ୍ଗ ତସ୍କରୀ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.